ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗଞ୍ଜାମ ଜିଲ୍ଲାର କୋଦଳା ସ୍ଥିତ କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚସି) ରେ ଘଟିଥିବା ଏକ ବ୍ୟାପକ ଆର୍ଥିକ ଅନିୟମିତତାକୁ ପ୍ରକାଶ କରାଯାଇଛି । ସରକାରୀ ଧନରୁ ୨ କୋଟି ଟଙ୍କାରୁ ଅଧିକ ରାଶି ଅନିୟମିତ ଭାବେ ଅପହରଣ କରାଯାଇଥିବା ଅଭିଯୋଗରେ ଭିଜିଲାନ୍ସ ୫ ଜଣ କର୍ମଚାରୀଙ୍କୁ ଗିରଫ କରିଛି । ଏପ୍ରିଲ ୮, ୨୦୨୬ ତାରିଖରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୪ ରୁଜୁ ହୋଇଥିବା ବେଳେ ୨୦୨୩ ରୁ ୨୦୨୫ ମଧ୍ୟରେ କିଛି କର୍ମଚାରୀ ମିଳିତ ଭାବେ ଭୁଲ ରେକର୍ଡ ପ୍ରସ୍ତୁତ କରି ଅନୁମୋଦନ ନଥିବା ଆରିୟର୍ ବେତନ ବିଲ୍ ତିଆରି କରି ଟଙ୍କା ଉଠାଇଥିବା ତଦନ୍ତରେ ପ୍ରକାଶ ପାଇଛି । ଏହି ଘଟଣାରେ ଗିରଫ ହୋଇଥିବା କର୍ମଚାରୀମାନେ ହେଲେ ସିନିୟର ଅସିଷ୍ଟାଣ୍ଟ ଜତିନ କୁମାର ଭୁଇଁଆଁ, ଏମ୍ପିଏଚଡବ୍ଲ୍ୟୁ (ମହିଳା) ଭାରତୀ ପ୍ରଧାନ, ଅଟେଣ୍ଡାଣ୍ଟ ଗୋପାଳ ନାହାକ, ସ୍ୱିପର ମନୁ ନାୟକ ଏବଂ ବେଗୁନିଆପଡା ପିଏଚସିର ଅଟେଣ୍ଡାଣ୍ଟ ରାମଚନ୍ଦ୍ର ମଲ୍ଲିକା । ତାଙ୍କ ବିରୋଧରେ ପ୍ରିଭେନ୍ସନ ଅଫ୍ କରପ୍ସନ ଆକ୍ଟ ୧୯୮୮ (ସଂଶୋଧିତ ୨୦୧୮) ର ଧାରା ୧୩(୨) ଓ ୧୩(୧)(ଏ), ଭାରତୀୟ ଦଣ୍ଡ ସଂହିତାର ୪୦୯, ୪୬୭, ୪୬୮, ୪୭୧, ୧୨୦-ବି ଓ ଭାରତୀୟ ନ୍ୟାୟ ସଂହିତାର ୩୧୬(୫), ୩୩୬(୩), ୩୩୮, ୩୪୦(୨), ୬୧(୨) ଅନୁସାରେ ମାମଲା ରୁଜୁ କରାଯାଇଛି । ଗିରଫ ପରେ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥିତ ବିଶେଷ ଭିଜିଲାନ୍ସ ଅଦାଲତରେ ଉପସ୍ଥାପନ କରାଯାଇଥିବା ବେଳେ ଭିଜିଲାନ୍ସ ଏହି ଘଟଣାର ଆହୁରି ତଦନ୍ତ ଜାରି ରଖିଛି ଏବଂ ଏଥିରେ ଅନ୍ୟ କେହି ଜଡିତ ଅଛନ୍ତି କି ନାହିଁ ସେଥି ପାଇଁ ଖୋଜଖବର ଚାଲିଛି ।
ଚର୍ଚ୍ଚା NEWS












