ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ସାମନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ତେଲ ଓ ଗ୍ୟାସ୍ ଯୋଗାଣ। ଏହି ଗମ୍ଭୀର ସମୟରେ ଭାରତ ସରକାର ଏକ ବଡ଼ ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।
BY-SUBHASMITA-DT-6.4.2026
ଭୁବନେଶ୍ବର:DT-6.4.2026:: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଭାରତ ସାମନା କରୁଥିବା ସବୁଠୁ ବଡ଼ ସମସ୍ୟା ହେଉଛି ତେଲ ଓ ଗ୍ୟାସ୍ ଯୋଗାଣ। ଏହି ଗମ୍ଭୀର ସମୟରେ ଭାରତ ସରକାର ଏକ ବଡ଼ ପ୍ରକଳ୍ପର କାର୍ଯ୍ୟ ଆଗକୁ ବଢ଼ାଇବାକୁ ପଦକ୍ଷେପ ନେଇଛନ୍ତି, ଯାହା ଭାରତକୁ ଗ୍ୟାସ୍ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ। ତାହା ହେଉଛି ଝାରସୁଗୁଡ଼ାର ଲଖନପୁରରେ ସ୍ଥାପନ ହେବାକୁ ଯାଉଥିବା କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ। ଏଥିପାଇଁ ନିକଟରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଓ ଭାରତ କୋଲ୍ ଗ୍ୟାସିଫିକେସନ ଆଣ୍ଡ୍ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ୍) ମଧ୍ୟରେ ଜମି ଲିଜ୍ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଆସନ୍ତା ଦୁଇ ବର୍ଷରେ କାର୍ଯ୍ୟକ୍ଷମ ହେବା ଆଶା କରାଯାଉଛି। ପଚିଶ ହଜାର କୋଟି ଟଙ୍କା ନିବେଶରେ ସ୍ଥାପନ କରାଯାଉଥିବା ଏହି ପ୍ରକଳ୍ପରୁ ଆମୋନିୟମ ନାଇଟ୍ରେଟଟ୍ ଉତ୍ପାଦନ କରାଯିବ। କୋଲ୍ ଗ୍ୟାସିଫିକେସନକୁ ନେଇ ଭାରତ ସରକାର ଏକ ବଡ଼ ଲକ୍ଷ୍ୟ ରଖି ୨୦୨୦ରେ ଜାତୀୟ କୋଲ୍ ଗ୍ୟାସିଫିକେସନ ମିସନ ଘୋଷଣା କରିଥିଲେ।
ଲକ୍ଷ୍ୟ ଥିଲା ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ର କ୍ଷମତା ବିକାଶ କରିବା। ଏହି ସମୟ ସୀମା ପାଖେଇ ଆସୁଥିବା ବେଳେ ଏକ୍ଷେତ୍ରରେ କୌଣସି ବିଶେଷ ଅଗ୍ରଗତି ହୋଇନାହିଁ। କେବଳ ଜିନ୍ଦଲ ଷ୍ଟିଲ୍ ପକ୍ଷରୁ ଅନୁଗୁଳରେ ଏକ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ସଫଳତାର ସହ କାର୍ଯ୍ୟକ୍ଷମ କରାଯାଇଛି। ଏହାପରେ ଲଖନପୁର ପ୍ରକଳ୍ପ ହେବ ଦ୍ବିତୀୟ ପ୍ରକଳ୍ପ। ତେବେ ଏପର୍ଯ୍ୟନ୍ତ ଭାରତ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ୨ ପ୍ରତିଶତ ବି ହାସଲ କରି ନ ପାରିବା ଚିନ୍ତାର ବିଷୟ।
କୋଲ୍ ଗ୍ୟାସିଫିକେସନ ହେଉଛି ଏଭଳି ଏକ ପ୍ରକ୍ରିୟା ଯେଉଁଥିରେ କୋଇଲାକୁ ନ ଜାଳି ସେଥିରୁ ବିଭିନ୍ନ ଗ୍ୟାସ୍ ବାହାର କରାଯାଇଥାଏ। ଅକ୍ସିଜେନ ଓ ବାଷ୍ପକୁ ବ୍ୟବହାର କରି ସେଥିରୁ ସିନ୍ଗ୍ୟାସ୍ ନାମକ ଇନ୍ଧନ ଗ୍ୟାସ୍ ବାହାର କରାଯାଏ। ସେହି ଗ୍ୟାସ୍ ହିଁ ସାର ପାଇଁ ଆମୋନିଆ, ଡିଜେଲ ପାଇଁ ସିନ୍ଥେସିସ୍ ଭଳି ଉତ୍ପାଦର ଆଧାର ଭାବେ କାର୍ଯ୍ୟ କରିଥାଏ। ଏଥିରୁ ମିଥାନଲ ଓ ଡାଇମିଥାଇଲ୍ ଇଥର ମଧ୍ୟ ବାହାର କରାଯାଏ ଯାହାକୁ ତରଳୀକୃତ ପେଟ୍ରୋଲିୟମ ଗ୍ୟାସ୍ (ଏଲ୍ପିଜି) ଉତ୍ପାଦନରେ ବ୍ୟବହାର କରାଯାଇଥାଏ। ଏଥିରେ ଏତେ ସୁଯୋଗ ଥିଲେ ମଧ୍ୟ ଏହି କ୍ଷେତ୍ରର ପ୍ରକଳ୍ପକୁ ବିଶେଷ ଧ୍ୟାନ ଦିଆଯାଉନଥିଲା। ମଧ୍ୟପ୍ରାଚ୍ୟ ଯୁଦ୍ଧ କିନ୍ତୁ ଏଭଳି ପ୍ରକଳ୍ପର ଜାତୀୟ ଆବଶ୍ୟକତା କଣ ତାହା ଜଣାଇଦେଇଛି। ଭାରତରେ ବିପୁଳ ପରିମାଣର କୋଇଲା ଗଚ୍ଛିତ ରହିଛି। କିନ୍ତୁ କୋଲ୍ ଗ୍ୟାସିଫିକେସନ କ୍ଷେତ୍ରରେ ଏହା ପଡ଼ୋଶୀ ଦେଶ ଚୀନ୍ଠାରୁ ବହୁତ ପଛରେ ରହିଛି। ଚୀନ୍ ଏହାର ୬୦ ପ୍ରତିଶତ ମିଥାନଲ ଏଭଳି ପ୍ରକଳ୍ପ ଜରିଆରେ ଉତ୍ପାଦନ କରୁଛି। ତେଣୁ ତାହାକୁ ଆଉ ସେହି ଗ୍ୟାସ୍ ଆମଦାନି କରିବାକୁ ପଡ଼ୁନାହିଁ। ଭାରତ କିନ୍ତୁ ଏହାର ୯୦ ପ୍ରତିଶତ ମିଥାନଲ ଏବେବି ଆମଦାନି କରୁଛି। ଜାତୀୟ କୋଲ୍ ଗ୍ୟାସିଫିକେସନ ମିସନ ପ୍ରତି ଧ୍ୟାନ ଦିଆଯାଇଥିଲେ ଭାରତ ମଧ୍ୟ ଏକ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଥାନ୍ତା ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଚର୍ଚ୍ଚା news

