ଭୁବନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି ।
ରାଉରକେଲା : ଭୁବନେଶ୍ବର-ରାଉରକେଲା ଘରୋଇ ବିମାନ ଇଣ୍ଡିଆ ୱାନ୍ ଏୟାର ଦୁର୍ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଅଧିକାରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାୟଳକୁ ତଦନ୍ତର ବିସ୍ତୃତ ରିପୋର୍ଟ ପ୍ରଦାନ କରିଛନ୍ତି। ରାଉରକେଲା ଏୟାରପୋର୍ଟରୁ ପ୍ରାୟ ୫୫ କି.ମି. ପୂର୍ବରୁ ବିମାନରେ ଇନ୍ଧନ କମି ଆସୁଥିବାରୁ ଇଞ୍ଜିନ୍ ଠିକ୍ ଭାବେ କାମ କରିନଥିଲା। ପାଇଲଟ୍ ଓ କୋ-ପାଇଲଟ୍ ଜାଣିବା ପରେ ତତ୍କ୍ଷଣାତ୍ ବିମାନଟିକୁ ସୁରକ୍ଷିତ ସ୍ଥାନରେ ଜରୁରୀଅବତରଣ କରିବାକୁ ପ୍ରୟାସ କରିଥିଲେ। ଏମିତି କି ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ଏଟିସି)କୁ ମେ’ଡେ କଲ୍ ଦିଆଯାଇଥିଲା।
ଯାତ୍ରୀମାନଙ୍କୁ ବଞ୍ଚାଇବାକୁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ବ୍ରାହ୍ମଣୀନଦୀ ଶଯ୍ୟାରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। ବିମାନଟି କମ୍ ଉଚ୍ଚତାରେ ଥିବାରୁ ସମ୍ଭବପର ହୋଇପାରି ନଥିଲା। ଶେଷରେ ଖୋଲା ସ୍ଥାନକୁ ବାଛିଥିଲେ। ଲାଠିକଟା କଂସର ଗାଡ଼ିଆଟୋଲା ଚାଷଜମି ନିକଟସ୍ଥ ପଡ଼ିଆରେ ଜରୁରୀଅବତରଣ କରାଇଥିଲେ। ବିମାନଟି ଗଛ ଓ ବିଦ୍ୟୁତ୍ ତାରରେ ପିଟି ହୋଇ ଖସି ପଡ଼ିଥିଲା। ବିମାନ ଖସିପଡ଼ିବା ପରେ ନାକ୍ ଲ୍ୟାଣ୍ଡିଂ ଗିଅର ବିମାନରୁ ଅଲଗା ହୋଇଯାଇଥିଲା। ମୁଖ୍ୟ ଲ୍ୟାଣ୍ଡିଂ ଗିଅର, ଇଞ୍ଜିନ ଓ ବ୍ଲେଡ କ୍ଷତିଗ୍ରସ୍ତ ହୋଇଥିଲା। ବିମାନର ବାମ ଓ ଡାହାଣ ପାର୍ଶ୍ବ ଡେଣା ଭାଙ୍ଗିଯାଇଥିଲା। ଖସିପଡ଼ିବା ପରେ ବିମାନରେ ସୌଭାଗ୍ୟବଶତଃ ନିଆଁ ଲାଗି ନଥିଲା। କକ୍ପିଟ୍ ଭଏସ୍ ରେକର୍ଡର (ସିଭିଆର୍), ଫ୍ଲାଇଟ୍ ଡାଟା ରେକର୍ଡର (ଏଫ୍ଡିଆର୍) ତଥ୍ୟକୁ ଯାଞ୍ଚ କରାଯାଉଛି ବୋଲି ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ଗତ ଜାନୁଆରି ୧୦ରେ ଭୁବନେଶ୍ବରୁ-ରାଉରକେଲା ଆସୁଥିିବା ‘ଇଣ୍ଡିଆ ୱାନ୍ ଏୟାର’ ବିମାନ ଅପରାହ୍ଣ ପ୍ରାୟ ୧ଟା ୧୫ ମିନିଟ୍ରେ ଲାଠିକଟା ବ୍ଲକ୍ କଂସର ବନଟୋଲା ଓ ଗାଡ଼ିଆଟୋଲା ମଝି ବିଲରେ ଖସିପଡ଼ିଲା।
ଭୁବନେଶ୍ବରର ସୁନୀଲ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସବିତା, ରାଉରକେଲା ବେଦବ୍ୟାସ ନଦୀଟୋଲାର ରୋଗୀ ସୁଶାନ୍ତ ବିଶ୍ବାଳ ଓ ତାଙ୍କ ଭଉଣୀ ଅନିତା ସାହୁ, ପାଇଲଟ୍ ନବୀନ ଖାଡ଼ଙ୍ଗା ଓ କୋ ପାଇଲଟ୍ ତରୁଣ ଶ୍ରୀବାସ୍ତବ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତ ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ଦୁଇ ପାଇଲଟ୍ ଓ ଅନ୍ୟ ତିନି ଯାତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିଲେ। ରାଜ୍ୟ ପରିବହନମନ୍ତ୍ରୀ ବିଭୂତିଭୂଷଣ ଜେନା, ସଚିବ ଉଷା ପାଢ଼ୀଙ୍କ ସମେତ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (ଏଏଆଇବି) ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ପହଞ୍ଚି ତଦନ୍ତ କରିଥିଲେ। ମାସକ ମଧ୍ୟରେ ଦୁର୍ଘଟଣାର ରିପୋର୍ଟ ମିଳିବ କହିଥିଲେ। ହେଲେ ଦୁଇ ମାସ ପରେ ତଦନ୍ତ ରିପୋର୍ଟ ଦିଆଯାଇଥିଲା ।
ଚର୍ଚ୍ଚା news












