ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ପୁଣି ଥରେ ଭାରତ କରିଲା ସାବ୍ୟସ୍ତ
ତାରିଖ- ୧୨- ୦୪-୨୦୨୬
ଚର୍ଚ୍ଚା ବ୍ୟୁରୋ : ବିପଦବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ, ଏହା ସବୁବେଳେ ଭାରତ ପ୍ରମାଣିତ କରି ଆସିଛି। ପଡ଼ୋଶୀ ଦେଶ ମାନଙ୍କ ଅସୁବିଧା ସମୟରେ ସବୁବେଳେ ଭାରତ ସେହି ଦେଶ ସହ ଛିଡ଼ା ହୋଇଛି। ଯେପରି ଭାରତ ସରକାର ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାର ମନୋଭାବ ରଖେ, ଠିକ୍ ସେହିପରି ଭାରତବାସୀ ମଧ୍ୟ ସାହାଯ୍ୟ କରିବାକୁ ବିଶ୍ୱାସ କରନ୍ତି। ଆଉ ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ ଭାରତର ସହଯୋଗ। ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତ ନିଜର ଏକ ସ୍ୱତନ୍ତ୍ର ଭୂମିକା ସୃଷ୍ଟି କରିପାରିଛି। ଯେପରି ସମଗ୍ର ବିଶ୍ୱ ଜାଣିଛି କି ଇରାନ, ଇସ୍ରାଏଲ ଓ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ କ୍ଷୟକ୍ଷତି ହୋଇଛି ଓ ଏହି ସମୟରେ ବିଶ୍ୱର ଅନେକ ଦେଶ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଆଉ ଏହାର ସବୁଠାରୁ ବଡ଼ କାରଣ ହେଉଛି ହର୍ମୁଜ ପ୍ରଣାଳୀ ରାସ୍ତା ବନ୍ଦ ହେବା। ଯାହା ଫଳରେ ଭାରତ ସମେତ ଅନେକ ଦେଶକୁ ଯାଉଥିବା ତେଲ ରପ୍ତାନି ବନ୍ଦ ହୋଇଯାଇଛି। କିନ୍ତୁ ଏହାରି ମଧ୍ୟରେ ଭାରତ ସାହାର୍ଯ୍ୟ କରିବାକୁ ନା ଭୁଲିଛି ଆଉ ନା ହିଁ ଭାରତବାସୀ ମଣିଷତ୍ୱ ଭୁଲିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି, ଇରାନକୁ ଯାହାର୍ଯ୍ୟର ହାତ ବଢ଼ାଇଥିବା ଭାରତବାସୀଙ୍କ ନିକଟରେ ଯାହା ଖୋଦ୍ ଇରାନ୍ ସୂଚନା ଦେଇଛି। ନିଜ ସାମାଜିକ ଗଣମାଧ୍ୟମ ଏକ୍ସରେ ଇରାନ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇ କହିଛି “ଭାରତର ଲୋକମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରଶଂସନୀୟ ସହଯୋଗ ଏବଂ ଅତୁଟ ସମର୍ଥନ ପାଇଁ ଆମେ ହୃଦୟରୁ କୃତଜ୍ଞ। ଆମେ ସୂଚନା ଦେଉଛୁ ଯେ ସହାୟତା ପାଇଁ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକୁ ଏବେ ବନ୍ଦ କରାଯାଇଛି।
ଦୟାକରି ଆଉ ଅର୍ଥ ପଠାନ୍ତୁ ନାହିଁ।” ଏହା ବ୍ୟତୀତ ଇରାନ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆର୍ଥିକ ସହାୟତା ପାଇଁ ଜାରି କରାଯାଇଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟ ଏବଂ କ୍ୟୁଆର୍ କୋର୍ଡ ବନ୍ଦ କରିଦିଆଯାଇଛି। ଇରାନ ଏକ ସ୍ପଷ୍ଟ ସନ୍ଦେଶ ଦେଇ କହିଛି ଯେ, ଭାରତର ଜନତା ଆଶାଠାରୁ ଅଧିକ ସହଯୋଗ କରିସାରିଛନ୍ତି, ତେଣୁ ଏବେ ଆଉ ଅଧିକ ଅର୍ଥ ପଠାଇବାର ଆବଶ୍ୟକତା ନାହିଁ। ତେବେ ଭାରତର ଅନେକ ପ୍ରାନ୍ତରୁ ଇରାନକୁ ସାହାର୍ଯ୍ୟ ମିଳିଥିବା ବେଳେ, ଭାରତର କାଶ୍ମୀରରୁ ମିଳିଥିବା ସାହାର୍ଯ୍ୟ ଥିଲା କିଛି ଅଲଗା ପ୍ରକାରର।
କାଶ୍ମୀରର ଲୋକମାନେ ଖାଲି ଟଙ୍କାର ସାହାଯ୍ୟ ଦେଇଥିଲେ ତାହା ନୁହେଁ ବରଂ ସୁନା, ରୁପା ଏବଂ ନିଜ ଘରର ପିତ୍ତଳ ଓ ତମ୍ବା ବାସନକୁସନ ମଧ୍ୟ ଇରାନକୁ ଦାନ କରିଦେଇଛନ୍ତି। କାଶ୍ମୀରର ଛୋଟ ଛୋଟ ଝିଅମାନେ ନିଜ କାନରୁ ସୁନା କାନଫୁଲ ଖୋଲି ଦେଇଥିଲେ। ଭାରତରୁ ଏହିପରି ଭାବେ କୋଟି କୋଟି ଟଙ୍କାର ସହାୟତା ରାଶି ଏକତ୍ରିତ ହୋଇଛି, ଯାହା ଭାରତ ଓ ଇରାନ ମଧ୍ୟରେ ଥିବା ସାଂସ୍କୃତିକ ଏବଂ ଆବେଗିକ ସମ୍ପର୍କକୁ ଆହୁରି ମଜବୁତ କରିଛି।












