ଚଳିତ ମାସ ଶେଷ ସୁଦ୍ଧା ସ୍ଥାୟୀ କୁଳପତି ନିଯୁକ୍ତି ନହେଲେ ରାଜରାସ୍ତାକୁ ଓହ୍ଲାଇବୁ ବିଜେଡି
ଗୌରୀକିକରଣ ଉଦ୍ୟମର କୁପରିଣାମ କୁଳପତି ମରୁଡି
୧୪ଟି ସ୍ଥାୟୀ କୁଳପତି ସମେତ ୧୪୦୦ ଅଧ୍ୟାପକ ପଦବୀ ଖାଲି
ଓଡ଼ିଆ ବିଶ୍ୱବିଦ୍ୟାଳୟରେ କୁଳପତି ସମେତ ସମସ୍ତ ୨୧ ଅଧ୍ୟାପକ ପଦବୀ ଖାଲି
ଭୁବନେଶ୍ୱର, ୦୬/୦୪/୨୦୨୬: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଓ ଅଧ୍ୟାପକ ମରୁଡି ସ୍ଥିତି ଜାରି ରହିଥିବାକୁ ନେଇ, ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ।
ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଉଚ୍ଚଶିକ୍ଷା ବିଭାଗର ଏଭଳି ଦୁର୍ଦ୍ଦଶା, ରାଜ୍ୟ ସରକାରଙ୍କ ଅପାରଗ ପଣିଆର ପରିଣାମ ବୋଲି କହିଥିଲେ ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଏକ ପ୍ରକାରର ପଙ୍ଗୁ ହୋଇଯାଇଛି । ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ଭିତରୁ ୧୪ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ଅଧିକାଂଶ ସ୍ଥାନରେ ଅଧ୍ୟାପକ ପଦବୀ ଗୁଡିକ ମଧ୍ୟ ଖାଲି ପଡିଛି । ସ୍ଥାୟୀ କୁଳପତି ନିଯୁକ୍ତି ନହେଲା ପର୍ଯ୍ୟନ୍ତ ଖାଲି ଥିବା ଅଧ୍ୟାପକ ପଦବୀ ଗୁଡିକ ପୂରଣ ହୋଇପାରିବ ନାହିଁ । ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଏଥିନେଇ ବିକ୍ଷୋଭ ପ୍ରଦର୍ଶନ ସହିତ ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ଭେଟି କୁଳପତି ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ନିବେଦନ କରାଯାଇଥିଲା । ରାଜ୍ୟପାଳ ମହୋଦୟ ମଧ୍ୟ ଶୀଘ୍ର ଏହା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୯ ମାସ ବିତି ଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇପାରି ନାହିଁ ।
ଶ୍ରୀ ସାହୁ ଆହୁରି କହିଥିଲେ, ନବୀନ ସରକାରଙ୍କ ସମୟରେ ଏହି ନିଯୁକ୍ତି ଦାୟିତ୍ୱ ରାଜ୍ୟ ପବ୍ଲିକ ସର୍ଭିସ କମିସନଙ୍କୁ ଦିଆଯାଇଥିଲା । ବିଦାୟ କୁଳପତି ମାନଙ୍କ ଅବସର ସମୟର ୬ ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଯାଉଥିଲା । କିନ୍ତୁ ସେ ବ୍ୟବସ୍ଥାକୁ ଏବେ ଉଚ୍ଛେଦ କରି ଦେଇଛନ୍ତି । ଲମ୍ୱା ସମୟ ଧରି ଏହି ପଦବୀ ଗୁଡିକ ଖାଲି ପଡ଼ିଥିବାରୁ, ବିଶ୍ୱବିଦ୍ୟାଳୟ ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ନବୀନ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ଏବେ କୁଳପତିଙ୍କ ସମେତ ସମସ୍ତ ୨୧ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ବର୍ତ୍ତମାନ ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଗୌରୀକିକରଣ କରିବାକୁ ପ୍ରୟାସ କରାଯାଉଛି । ଯୋଗ୍ୟତା ଭିତିରେ ନୁହେଁ ବରଂ ସେମାନଙ୍କ ଆନୁଗତ୍ୟ ଦେଖାଯାଉଛି । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗୁଡିକର ଅଟୋନୋମିକୁ ଅକ୍ଷୁଣ୍ଣ ରଖନ୍ତୁ ଏବଂ ସ୍ୱଚ୍ଛତାର ସହିତ ନିଯୁକ୍ତି ପ୍ରକ୍ରିୟା ଶେଷ କରନ୍ତୁ ।
ଇପ୍ସିତା ସାହୁ କହିଥିଲେ, ଶିକ୍ଷା ବ୍ୟବସ୍ଥା ସମାଜ ବିକାଶର ମେରୁଦଣ୍ଡ । ରାଜ୍ୟର ବିକାଶ ପାଇଁ ଶିକ୍ଷାର ବିକାଶ ଜରୁରୀ । କିନ୍ତୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟ ବିଜେପି ସରକାରଙ୍କ ଗୌରୀକିକରଣ ମନୋଭାବ ଯୋଗୁଁ ଓ କେଉଁଠି କିଏ ରହିବେ, ସେଥିନେଇ ଦଳୀୟ ନେତାଙ୍କ ଭିତରେ ମତଭେଦ ରହିଥିବା ଯୋଗୁଁ ଏହି ନିଯୁକ୍ତି ପ୍ରକ୍ରିୟା ହୋଇପାରୁନାହିଁ । ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ଏହି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ । ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା କୁଳପତି ପଦବୀ ଗୁଡିକ ପୂରଣ ନହେଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନେ୍ଦାଳନକୁ ଓହ୍ଲାଇବ ।
ଚର୍ଚ୍ଚା news












