ରାୟଗଡ଼ା 11 .4 .26 ::ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ଆଦିବାସୀ ଲୋକଙ୍କ ଉପରେ ଚାଲିଥିବା ପୋଲିସ ଦମନ, ନିଷେଧାଦେଶ ଜାରି ଓ ଗଣତାନ୍ତ୍ରିକ ଅଧିକାର ଉଲ୍ଲଂଘନ ନେଇ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ୧୦ଏପ୍ରିଲ ରେ ଚାରିଟି ବାମପନ୍ଥୀ ଦଳର ମିଳିତ ନେତୃତ୍ୱ ସିଜିମାଳି ଅଞ୍ଚଳକୁ ଗସ୍ତ କରିଛନ୍ତି।
ସି.ପି.ଆଇ.ପକ୍ଷରୁ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର,ସି.ପି.ଆଇ.(ଏମ୍) ପକ୍ଷରୁ ରାଜ୍ୟ ସମ୍ପାଦକ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ,
ସି.ପି.ଆଇ.(ଏମ୍ଏଲ୍)ଲିବରେସନ ପକ୍ଷରୁ ରାଜ୍ୟ ସମ୍ପାଦକ ଶ୍ରୀ ଯୁଧିଷ୍ଠିର ମହାପାତ୍ର ଏବଂ
ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ସମେତ ସି.ପି.ଆଇ.ରାଜ୍ୟ ସହ-ସମ୍ପାଦକ ଶ୍ରୀ ଜୟନ୍ତ ଦାସ,ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ଶ୍ରୀ ଦାମୋଦର ବେହେରା,
ସି ପି ଆଇ(ଏମ୍) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଶ୍ରୀ ବଦ୍ରୀ ନାରାୟଣ ଦାଶ,ଆଦିବାସୀ ନେତା ଶ୍ରୀ ଚାମ୍ବୁରୁ ସୋରେନ,ସି.ପି.ଆଇ.(ଏମ୍ଏଲ୍)- ଲିବରେସନ ରାଜ୍ୟ ନେତା ଶ୍ରୀ ମହେନ୍ଦ୍ର ପରିଡା ଓ ଶ୍ରୀ ଅଶୋକ ପ୍ରଧାନ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଏହି ମିଳିତ ପ୍ରତିନିଧି ଦଳରେ ସାମିଲ ଅଛନ୍ତି ।
ଏହି ଗସ୍ତ ସମୟରେ ବାମପନ୍ଥୀ ଦଳ ମାନଙ୍କର ନେତୃବୃନ୍ଦ ସ୍ଥାନୀୟ ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମରେ ଆଦିବାସୀ ଲୋକମାନଙ୍କ ସହ ସାକ୍ଷାତ କରିଛନ୍ତି,ପୀଡିତ ପରିବାରମାନଙ୍କ ଅଭିଯୋଗ ଶୁଣିଛନ୍ତି ଓ ଘଟଣାବଳୀର ପ୍ରକୃତ ସତ୍ୟାସତ୍ଯ ଅନୁସନ୍ଧାନ କରି ଫେରିଛନ୍ତି।
ପ୍ରତିନିଧି ଦଳ ସୁଙ୍ଗେର ଗ୍ରାମ ପଞ୍ଚାୟତର କଣ୍ଟାମାଳ ଗ୍ରାମକୁ ଯାଇ ସ୍ଥାନୀୟ ଆଦିବାସୀ ଲୋକମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ଏବଂ ପୀଡିତ ପରିବାରମାନଙ୍କ ଅଭିଯୋଗ ସବୁ ଶୁଣିଥିଲେ। ପ୍ରତିନିଧି ଦଳ ଘଟଣାବଳୀର ପ୍ରକୃତ ସତ୍ୟ ଅନୁସନ୍ଧାନ କରି ଗଭୀର ଉଦବେଗ ପ୍ରକାଶ କରିବା ସହିତ ଚିନ୍ତାବ୍ୟକ୍ତ କରିଛି।ପ୍ରତିନିଧି ଦଳଙ୍କୁ ମିଳିଥିବା ତଥ୍ୟ ଅନୁଯାୟୀ ୭ ଏପ୍ରିଲ ୨୦୨୬ ର ପ୍ରଭାତ ପ୍ରାୟ ଭୋର ୩ଟା ସମୟରେ ପୋଲିସ୍ ବଳ କଣ୍ଟାମାଳ ଗ୍ରାମକୁ ଘେରାଉ କରିଥିଲା, ଗ୍ରାମର ବିଦ୍ୟୁତ୍ ଯୋଗାଣ ବନ୍ଦ କରାଯାଇଥିଲା ଏବଂ ଘରକୁ ପ୍ରବେଶ କରି ଲୁହା ବୁହା ବାଷ୍ପ ଗ୍ୟାସ ପ୍ରୟୋଗ ଓ ବ୍ଲାଙ୍କ ଫାୟାରିଂ କରାଯାଇଥିଲା ବୋଲି ଗୁରୁତର ଅଭିଯୋଗ ମିଳିଛି। ଏହି କାର୍ଯ୍ୟକଳାପ ସମୟରେ ପୁରୁଷ ଓ ମହିଳା ମାନଙ୍କୁ ମାଡ଼ ମରାଯାଇଥିଲା । ଲୁହା ବୁହା ବାଷ୍ପଗ୍ୟାସ ପ୍ରଭାବରେ ଗୃହପାଳିତ ପଶୁର ମୃତ୍ୟୁ ଘଟିଥିବା ଅଭିଯୋଗ ମଧ୍ୟ ଆସିଛି। ଏହି ଘଟଣା ସ୍ଥାନୀୟ ବାସିନ୍ଦା ଏବଂ ଆଦିବାସୀ ଲୋକମାନଙ୍କ ମଧ୍ୟରେ ଭୟ, ଆତଙ୍କ ଓ ଅସୁରକ୍ଷାର ପରିବେଶ ସୃଷ୍ଟି କରିଛି ଏବଂ ମୌଳିକ ଅଧିକାର ଉଲ୍ଲଂଘନ ନେଇ ଗୁରୁତର ପ୍ରଶ୍ନ ଉଠୁଛି।
ଚାରିଟି ବାମ ଦଳ ମତ ପ୍ରକାଶ କରିଛନ୍ତି ଯେ ଗ୍ରାମ ସଭାର ସମ୍ମତି ବିନା ସମ୍ୱିଧାନ ର ପଞ୍ଚମ ସୂଚୀ ଅଞ୍ଚଳରେ ଖଣି ଓ ରାସ୍ତା ପ୍ରକଳ୍ପ ଆରମ୍ଭ କରାଯିବା ପେସା ଆଇନ-୧୯୯୬ ଓ ଜଙ୍ଗଲ ଅଧିକାର ଆଇନ- ୨୦୦୬ ର ସ୍ପଷ୍ଟ ଉଲ୍ଲଂଘନ ଅଟେ। ଏହି କାର୍ଯ୍ୟକଳାପ ଆଦିବାସୀଙ୍କ ଜମି, ଜଙ୍ଗଲ, ପାରମ୍ପରିକ ଜୀବିକା ଏବଂ ସଂସ୍କୃତି କୁ ଗୁରୁତର ସଙ୍କଟରେ ପକାଇ ଦେଇଛି ଏବଂ ବିସ୍ଥାପନର ଆତଙ୍କ ସୃଷ୍ଟି କରୁଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଚାରିଟି ବାମପନ୍ଥୀ ଦଳ ଜିଲ୍ଲା ପ୍ରଶାସନ ନିକଟରେ ତତ୍କାଳ ନିଷେଧାଦେଶ ପ୍ରତ୍ୟାହାର କରିବା, ଗ୍ରାମସଭା ସମ୍ମତି ବିନା ଖଣି ଓ ରାସ୍ତା କାମ ବନ୍ଦ କରିବା, ଅତିରିକ୍ତ ପୋଲିସ୍ ବଳ ହଟାଇ ଶାନ୍ତିପୂର୍ଣ୍ଣ ପରିବେଶ ସୃଷ୍ଟି କରିବା,କଣ୍ଟାମାଳ ଘଟଣାରର ନିରପେକ୍ଷ ଏବଂ ଉଚ୍ଚ ସ୍ତରୀୟ ତଦନ୍ତ କରି ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ କରିବା ଏବଂ “ପେସା” ଓ ଜଙ୍ଗଲ ଆଇନ କଡାକଡି ଭାବରେ ଲାଗୁ କରିବାକୁ ଦୃଢ଼ ଭାବେ ଦାବି କରିଛନ୍ତି। ଏହି ସମସ୍ତ ଦାବି କୁ ଆଧାର କରି ଏକ ସ୍ମାରକ ପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କୁ ଦିଆଯିବ ଏବଂ ଭୁବନେଶ୍ୱର ଫେରି
ଓଡ଼ିଶାର ମାନନୀୟ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରାଯିବ ବୋଲି ବାମପନ୍ଥୀ ଦଳର ନେତା ମାନେ ରାୟଗଡ଼ା ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ କହିଛନ୍ତି ।
ଚାରିଟି ବାମପନ୍ଥୀ ଦଳ ସ୍ପଷ୍ଟ କରିଛନ୍ତି ଯେ ଆଦିବାସୀଙ୍କ ଜମି, ଜଙ୍ଗଲ, ଜୀବିକା ଓ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସଂଗ୍ରାମ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ।
ଚର୍ଚ୍ଚା NEWS












