ବିଭୂତିଙ୍କ କହିବା ଅନୁସାରେ, ରାଜ୍ୟରେ ଏବେ ‘ଫାଇଲ ହଜିବା’ ଘଟଣା ପଦାକୁ ଆସିବା ପରେ ନବୀନ ପଟ୍ଟନାୟକ ଭୟଭୀତ ହୋଇ ଏଭଳି ବୟାନବାଜି କରୁଛନ୍ତି । ସେ କହିଛନ୍ତି , ବିଗତ ଦିନର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହେବା ଘଟଣା ଏବେ ସାମ୍ନାକୁ ଆସୁଛି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ । ନିଟ୍ ପେପର ଲିକ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଥିବା ବେଳେ ନବୀନ କାହିଁକି ଏଭଳି ଦାବି କରୁଛନ୍ତି, ତାହାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି । ବିଭୂତିଙ୍କ କହିବା ଅନୁସାରେ, ରାଜ୍ୟରେ ଏବେ ‘ଫାଇଲ ହଜିବା’ ଘଟଣା ପଦାକୁ ଆସିବା ପରେ ନବୀନ ପଟ୍ଟନାୟକ ଭୟଭୀତ ହୋଇ ଏଭଳି ବୟାନବାଜି କରୁଛନ୍ତି । ସେ କହିଛନ୍ତି , ବିଗତ ଦିନର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ହେବା ଘଟଣା ଏବେ ସାମ୍ନାକୁ ଆସୁଛି । ଏହି ସତ୍ୟ ପଦାକୁ ଆସିଲେ ବିଜେଡି ଅସୁବିଧାରେ ପଡ଼ିବ, ସେଥିପାଇଁ ଲୋକଙ୍କ ନଜର ହଟାଇବାକୁ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଟାର୍ଗେଟ୍ କରୁଛନ୍ତି । ନିଜର ଦୋଷ ଲୁଚାଇବା ପାଇଁ ସେ ଏବେ ଆକ୍ରମଣାତ୍ମକ ମୁଦ୍ରା ଆପଣେଇଛନ୍ତି ।
ନାଁ ନନେଇ ପୂର୍ବତନ ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କୁ ସମାଲୋଚନା କରିଛନ୍ତି ବିଭୂତି ଭୂଷଣ ପ୍ରଧାନ । ସେ କହିଛନ୍ତି ଯେ, “ଜଣେ ବ୍ୟକ୍ତି ନିଜ ସ୍ୱାର୍ଥ ପାଇଁ ଦଳକୁ ଭାଙ୍ଗୁଛନ୍ତି । ତାଙ୍କର ମନମୁଖୀ ନିଷ୍ପତ୍ତି ପାଇଁ ଆଜି ବିଜେଡିର ଏଭଳି ଦୁର୍ଦ୍ଦିନ ଆସିଛି ଏବଂ ବିଜେପି ଓଡ଼ିଶାରେ ସରକାର ଗଢ଼ିଛି ।” ବିଜେଡି ଏବେ ବିପର୍ଯ୍ୟୟ ଆଡ଼କୁ ଗତି କରୁଛି ଏବଂ ଆଗାମୀ ନିର୍ବାଚନ ବେଳକୁ ଦଳ ନିର୍ବାଚନ ଲଢ଼ିବା ସ୍ଥିତିରେ ବି ରହିବ ନାହିଁ ବୋଲି ସେ ଦାବି କରିଛନ୍ତି ।
ବିଜେଡି ଭିତରେ ଏବେ ଗୃହଯୁଦ୍ଧ ଚାଲିଥିବା ନେଇ ସେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଦଳୀୟ ପାଣ୍ଠି କିଏ ନେବ ଏବଂ କିଏ ହଡ଼ପ କରିବ, ତାକୁ ନେଇ ଦଳ ଭିତରେ ତୀବ୍ର ଟଣାଓଟରା ଚାଲିଛି । ଦଳ ଭାଙ୍ଗିଗଲେ ସମ୍ପୂର୍ଣ୍ଣ ଫଣ୍ଡ ଜଣଙ୍କ ପାଖକୁ ଚାଲିଯିବାର ଆଶଙ୍କା ଥିବାରୁ ଏବେ ନେତାମାନେ ପରସ୍ପର ସହ ଲଢ଼ୁଛନ୍ତି । ଏହି ଆନ୍ତରିକ କନ୍ଦଳରୁ ବର୍ତ୍ତିବା ପାଇଁ ନବୀନ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇ ଏକ ରାଜନୈତିକ କବଚ ତିଆରି କରୁଛନ୍ତି ।
ବିଧାୟକ କହିଛନ୍ତି ଯେ, ବିଜେଡିର ସ୍ଥିତି ଏବେ ଏତେ ଖରାପ ଯେ ସେମାନେ ନିଜର ସ୍ଥିତି ବଞ୍ଚାଇବା ପାଇଁ ଅଣ-ରାଜନୈତିକ ସଂଗଠନର ସାହାରା ନେଉଛନ୍ତି । ଏଭଳି ସ୍ଥିତିରେ ନବୀନ ପଟ୍ଟନାୟକଙ୍କ ଧମକ ବା ଦାବିର କୌଣସି ପ୍ରଭାବ ପଡ଼ିବ ନାହିଁ । ଓଡ଼ିଶାବାସୀ ଏବେ ବିଜେପି ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ଏବଂ ବିଜେଡିର ସତ୍ୟତା ଜାଣିସାରିଛନ୍ତି ।












