ଭତ୍ତା ନାହିଁ ତ ରାଜରାସ୍ତା ହିଁ ଭରସା; ଶରତରେ ତାତିଲେ ୯ ପଞ୍ଚାୟତର ହିତାଧିକାରୀ, ବିର୍ସା ମୁଣ୍ଡା ରାଜରାସ୍ତାରେ ଧାରଣା ::
BY-ରାଜୀବ କୁମାର ବେହେରା
ଉଦଳା : ଭତ୍ତା ଟଙ୍କା ପାଇଁ ଡହଳବିକଳ। ଦାବି ଶୁଣିଲାନି ପ୍ରଶାସନ, ଶେଷରେ ରାଜରାସ୍ତାକୁ ଓହ୍ଲାଇଲେ ଭତ୍ତା ହିତାଧିକାରୀ। ବୟସର ଭାରରେ ନଇଁ ଯାଇଥିବା ବୃଦ୍ଧ-ବୃଦ୍ଧାଙ୍କଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ଓ ମହିଳା-ପୁରୁଷସମସ୍ତେ ଏକାଠି ହୋଇ ରାଜରାସ୍ତାରେ ବସି ପ୍ରତିବାଦ କରିଛନ୍ତି।
ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଶରତ ଅଞ୍ଚଳର ୯ଟି ପଞ୍ଚାୟତର ଭତ୍ତା ହିତାଧିକାରୀ ଭତ୍ତା ଟଙ୍କା ନମିଳିବା ଅଭିଯୋଗରେ ଶରତ ବିର୍ସା ମୁଣ୍ଡା ରାଜରାସ୍ତାରେ ଧାରଣା ଦେଇଛନ୍ତି। ଦୀର୍ଘ ସମୟ ଧରି ଭତ୍ତାକୁ ଅପେକ୍ଷା କରି କରି ଅତିଷ୍ଠ ହିତାଧିକାରୀଙ୍କ କ୍ଷୋଭ ଏବେ ରାଜରାସ୍ତାରେ ପ୍ରତିଫଳିତ ହୋଇଛି।
ଭତ୍ତା ପାଇଁ ଅପେକ୍ଷା କରି କରି ଶେଷରେ ରାଜରାସ୍ତା!
ହିତାଧିକାରୀଙ୍କ ଅଭିଯୋଗ ଭତ୍ତା ଟଙ୍କା ହିଁ ସେମାନଙ୍କ ଦୈନନ୍ଦିନ ଜୀବନର ଅନେକ ଆବଶ୍ୟକତା ପୂରଣର ଭରସା। କିନ୍ତୁ ଟଙ୍କା ନମିଳିବାରୁ ଅନେକେ ଆର୍ଥିକ ଅସୁବିଧାରେ ପଡ଼ିଛନ୍ତି। ବାରମ୍ବାର ଦାବି କରିବା ସତ୍ତ୍ୱେ ସମସ୍ୟାର ସମାଧାନ ନହେବାରୁ ଶେଷରେ ବାଧ୍ୟ ହୋଇ ରାଜରାସ୍ତାରେ ଧାରଣା ଦେବାକୁ ପଡ଼ିଛି ବୋଲି ସେମାନେ କହିଛନ୍ତି।
ଧାରଣା ଯୋଗୁଁ ଶରତ ବିର୍ସା ମୁଣ୍ଡା ରାଜରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିବା ସହ ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
“ଆମ ଭତ୍ତା କୁଆଡ଼େ ଗଲା?”
ଧାରଣାରତ ହିତାଧିକାରୀଙ୍କ ମୁଖରେ ଗୋଟିଏ ପ୍ରଶ୍ନ ଭତ୍ତା କେବେ ମିଳିବ?” ନିଜ ହକ୍ର ଟଙ୍କା ପାଇଁ ଏଭଳି ରାଜରାସ୍ତାକୁ ଆସିବାକୁ ପଡ଼ିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଭତ୍ତା ପ୍ରଦାନର ବ୍ୟବସ୍ଥା କରିବା ସହ ହିତାଧିକାରୀଙ୍କ ଦାବି ଉପରେ ସ୍ପଷ୍ଟ ପଦକ୍ଷେପ ନେବାକୁ ଦାବି ହୋଇଛି।
ବୃଦ୍ଧଙ୍କ ହାତରେ ଲାଠି, ଦିବ୍ୟାଙ୍ଗଙ୍କ ହାତରେ ଦାବିପତ୍ର ଭତ୍ତା ପାଇଁ ରାଜରାସ୍ତାରେ ବସିଛନ୍ତି ହିତାଧିକାରୀ। ଏବେ ପ୍ରଶ୍ନ—ସେମାନଙ୍କ ଦାବି କେବେ ଶୁଣିବ ପ୍ରଶାସନ?
ଚର୍ଚ୍ଚା tv











