BY-ରାଜୀବ କୁମାର ବେହେରା
ଉଦଳା:ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ଆଧ୍ୟାତ୍ମିକ ପରିବେଶରେ ପରିପୂର୍ଣ୍ଣ ଡିହିରାକୁଳ ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମୋତ୍ସବ ରୀତିନୀତି ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଅବସରରେ ମନ୍ଦିର ପରିସର ଭଜନ, କୀର୍ତ୍ତନ ଓ ଶ୍ରଦ୍ଧାଳୁଙ୍କ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।
ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମଦିବସ ଭାବେ ପାଳନ କରାଯାଇଥାଏ। ଦୁଷ୍ଟଙ୍କ ବିନାଶ ଓ ସଜ୍ଜନଙ୍କ ରକ୍ଷା ସହିତ ଜଗତର କଲ୍ୟାଣ ପାଇଁ ଭଗବାନ ଶ୍ରୀକୃଷ୍ଣ ଅବତାର ଗ୍ରହଣ କରିଥିଲେ ବୋଲି ଧାର୍ମିକ ବିଶ୍ୱାସ ରହିଛି। *“ସର୍ବେ ଭବନ୍ତୁ ସୁଖିନଃ”*ର ମହାନ ବାର୍ତ୍ତାକୁ ଆଧାର କରି ଡିହିରାକୁଳ ଗ୍ରାମବାସୀ ପ୍ରତିବର୍ଷ ଏହି ପବିତ୍ର ଉତ୍ସବକୁ ଶ୍ରଦ୍ଧା ଓ ଭକ୍ତିର ସହ ପାଳନ କରିଆସୁଛନ୍ତି।
ସକାଳ ୫ଟା ୧୫ ମିନିଟ୍ରେ ମନ୍ଦିରର ଦ୍ୱାର ଫିଟା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ସକାଳ ଧୂପ ଓ ବାଲ୍ୟଭୋଗ ଆଦି ନୀତି ସମ୍ପାଦିତ ହୋଇଥିଲା। ଏହାପରେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ଅବସରରେ କ୍ଷୀରି, ଖେଚୁଡ଼ି, ଶାଗ, ବେସର ଆଦି ସ୍ୱତନ୍ତ୍ର ଭୋଗ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥିଲା।
ଅପରାହ୍ନ ୨ଟା ସମୟରେ ବରେଣ୍ୟ ପୂଜକ ଅଶ୍ୱିନୀ କୁମାର ପଣ୍ଡା, ଭାସ୍କର ମହାପାତ୍ର ଓ ଇ. ନାରାୟଣ ପୃଷ୍ଟି ମହାପ୍ରଭୁଙ୍କୁ ଆକର୍ଷଣୀୟ ରାଇ ଦାମୋଦର ବେଶରେ ସଜ୍ଜିତ କରିଥିଲେ। ପରେ ଅପରାହ୍ନ ୪ଟା ସମୟରେ କଳସ ସ୍ଥାପନା କରାଯାଇ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା।
ସମ୍ମାନନୀୟ ଗୁରୁଜନ ଅକ୍ଷୟ କୁମାର ସାହୁ ସଂକଳ୍ପ କାର୍ଯ୍ୟ ସମ୍ପାଦନ କରି ସମଗ୍ର ଜଗତର ମଙ୍ଗଳ ଓ ଶାନ୍ତି କାମନା କରିଥିଲେ। ଏହି ଅବସରରେ ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତ ଓ ଲୀଳା କଥା ଶ୍ରବଣ କରିଥିଲେ।
ରାଧାଗୋବିନ୍ଦ ଓ ଗୋପୀନାଥ ଜୀଉ ସଂକୀର୍ତ୍ତନ ପାଲା ଗାୟକବୃନ୍ଦ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ବୃତ୍ତାନ୍ତକୁ ପାଲା ମାଧ୍ୟମରେ ଅତ୍ୟନ୍ତ ଭାବପୂର୍ଣ୍ଣ ଭାବେ ପରିବେଷଣ କରିଥିଲେ। ପଲ୍ଲୀଗୌରବ ମନମୋହନ ପୃଷ୍ଟିଙ୍କ ରଚନା ଆଧାରିତ ଭକ୍ତିମୟ ପାଲା ପରିବେଷଣ ଉପସ୍ଥିତ ଭକ୍ତମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
ଅନେକ ଶ୍ରଦ୍ଧାଳୁ ଉପବାସ ରହି ସଂକଳ୍ପ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ମନ୍ଦିର କମିଟିର ସଭାପତି ମଧୁସୂଦନ ହାତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରଦ୍ଧାଳୁମାନଙ୍କ ପୂଜାର୍ଚ୍ଚନା ଓ ପ୍ରସାଦ ବଣ୍ଟନ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ଭଗବାନ ଶ୍ରୀକୃଷ୍ଣ ଶାନ୍ତି, ପ୍ରେମ ଓ ମାନବ କଲ୍ୟାଣର ବାର୍ତ୍ତା ଦେଇଥିବାରୁ ସମଗ୍ର ବିଶ୍ୱରେ ଶାନ୍ତି ଓ ଭାଇଚାରା ବଜାୟ ରହୁ ବୋଲି ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ପ୍ରାର୍ଥନା କରିଥିଲେ।
କାର୍ଯ୍ୟକ୍ରମକୁ ସରସ, ସୁନ୍ଦର ଓ ସଫଳ କରିବାରେ ଦୀପକ କୁମାର ନାୟକ, ଖଗେଶ୍ୱର ପୃଷ୍ଟି, ପିୟୁଷ ପାତ୍ର, ସଦାନନ୍ଦ ହାତୀ, ଗୋବିନ୍ଦ ହାତୀ, କୃଷ୍ଣା ଦାସ, ପ୍ରଭୁଜିତ ବେହେରା ଓ ଚନ୍ଦନ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ।
ଚର୍ଚ୍ଚା tv











