ତାରିଖ-୧୦-୦୩-୨୦୨୬
ସାମ୍ବାଦିକ- ରାଜୀବ କୁମାର ବେହେରା
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ପୁଣିଥରେ ଛୁଆ ଚୋରୀ ଗୁଜବକୁ କେନ୍ଦ୍ର କରି ଅଭାବନୀୟ ଘଟଣା ଘଟିଛି। ଉଦଳା ଥାନା ଅନ୍ତର୍ଗତ ଜାଲଦା ଗ୍ରାମରେ ଜଣେ ଯୁବକଙ୍କୁ ଛୁଆ ଚୋର ସନ୍ଦେହରେ କିଛି ଉତ୍ତେଜିତ ଲୋକ ଧରି ଅମାନବିକ ଭାବରେ ମାଡ଼ ମାରିଥିବା ଅଭିଯୋଗ ମିଳିଛି। ଏହି ଘଟଣାରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତେବେ ଯୁବକ ଉଦଳାରୁ ଘରକୁ ଫେରିବା ବାଟରେ ସନ୍ଧ୍ୟା ସମୟରେ ତାଙ୍କ ସହିତ ଏମିତି କିଛି ଘଟି ଥିବା ସୂଚନା l ଘଟଣା ସମ୍ବନ୍ଧରେ ଖବର ପାଇ ଉଦଳା ପୋଲିସ ତତ୍କ୍ଷଣାତ୍ ଘଟଣାସ୍ଥଳକୁ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଆହତ ଯୁବକ ନିଜକୁ କପ୍ତିପଦା ଅଞ୍ଚଳର ଡାହିସାହି ଗ୍ରାମର ବାସିନ୍ଦା ବୋଲି ପରିଚୟ ଦେଇଥିବା ସତ୍ତ୍ୱେ ମଧ୍ୟ ଉତ୍ତେଜିତ ଲୋକମାନେ ତାଙ୍କୁ ଛାଡ଼ିନଥିଲେ ଏବଂ ମାଡ଼ ମାରିଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ଉଦଳା ପୋଲିସ ତଦନ୍ତ ଆରମ୍ଭ କରିଛି। ଗୁଜବକୁ ଆଧାର କରି ଏଭଳି ମନ୍ଦ ଆକ୍ରମଣ ଘଟଣା ପୁଣିଥରେ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ସୃଷ୍ଟି ହୋଇଛି। ସମାଜରେ ଗୁଜବକୁ ବିଶ୍ୱାସ କରି ଆଇନକୁ ହାତରେ ନେବା ଘଟଣା ଚିନ୍ତାଜନକ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି। ପୋଲିସ ଘଟଣାରେ ଜଡିତ ଥିବା ଲୋକମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ନିର୍ଦୋଷ ଯୁବକଙ୍କୁ କେବେ ନ୍ୟାୟ ମିଳିବ ଏବଂ ଦୋଷୀମାନେ କେବେ ଗିରଫ ହେବେ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟି ରହିଛି।












