ତାରିଖ-୧୨ -୦୩-୨୦୨୬
ସାମ୍ବାଦିକ ସୌମ୍ୟ ରଞ୍ଜନ ଦାସ
କଟକ : ୧୨-୦୩-୨୦୨୬ ତାରିଖରେ RPF ପୋଷ୍ଟ କଟକର ଅଧିକାରୀ ଓ କର୍ମଚାରୀମାନେ ଟ୍ରେନ୍ ମଧ୍ୟରେ ଅବାଞ୍ଛିତ କାର୍ଯ୍ୟକଳାପ ବିରୋଧରେ ଏକ ବିଶେଷ ଅଭିଯାନ ଚାଲାଇଥିଲେ। ଏହି ଅଭିଯାନ ସମୟରେ ଟ୍ରେନ୍ ନଂ 12507 (ତ୍ରିବାନ୍ଦ୍ରମ–ସିଲଚର) ଆରୋନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ର CTC–JJKR ସେକ୍ସନ ଓ ଟ୍ରେନ୍ ନଂ 12516 (ସିଲଚର–କୋଇମ୍ବାତୁର) କୋଇମ୍ବାତୁର ସୁପରଫାଷ୍ଟ ଏକ୍ସପ୍ରେସ୍ର JJKR–CTC ସେକ୍ସନ ମଧ୍ୟରେ ପ୍ୟାଣ୍ଟ୍ରି କାରରେ ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ଦେଖାଯାଇଥିଲା ଯେ ପ୍ୟାଣ୍ଟ୍ରି କାରର କର୍ମଚାରୀମାନେ ଇଲେକ୍ଟ୍ରିକ୍ ଇମର୍ସନ୍ ହିଟର (ଇମର୍ସନ୍ ରଡ୍) ବ୍ୟବହାର କରି ଷ୍ଟିଲ୍ ଟି କ୍ୟାନ୍ରେ ପାଣି ଗରମ କରି ଚା ତିଆରି କରୁଥିଲେ। ଏହି ଇମର୍ସନ୍ ହିଟରଗୁଡିକ ରେଳୱେ ଦ୍ୱାରା ଯାତ୍ରୀମାନଙ୍କ ମୋବାଇଲ୍ ଚାର୍ଜ ଓ ଲାଇଟ୍ ବ୍ୟବହାର ପାଇଁ ଦିଆଯାଇଥିବା ସକେଟ୍ରେ ଲଗାଯାଇଥିଲା, ଯାହା ଭାରୀ ଇଲେକ୍ଟ୍ରିକ୍ ଯନ୍ତ୍ର ପାଇଁ ନୁହେଁ। ଏପରି ବ୍ୟବହାର ଫଳରେ ସ୍ୱର୍ଟ ସର୍କିଟ୍ ଓ ଅଗ୍ନିକାଣ୍ଡ ହେବାର ଗୁରୁତର ଆଶଙ୍କା ରହିଥାଏ।
ଟ୍ରେନ୍ ନଂ 12507 ଆରୋନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ତଦନ୍ତ ସମୟରେ ଜଣେ ପ୍ୟାଣ୍ଟ୍ରି କାର କର୍ମଚାରୀ ନିଜ ପରିଚୟ ସାହଦୁଲ୍ଲା (ବୟସ–34 ବର୍ଷ), ପିତା–ମୁସ୍ତାଫା ଅନ୍ସାରି, ଗ୍ରାମ–ବାମହନିୟାଭ, ରାଇପୁରା, ଥାନା–ଧନାପୁର, ଜିଲ୍ଲା–ଚନ୍ଦାଉଲି, ଉତ୍ତର ପ୍ରଦେଶ ଭାବେ ଦେଇଥିଲେ। ପଚରାଉଚରି ସମୟରେ ସେ କହିଥିଲେ ଯେ ସେ M/s Roop Caterer ଅଧୀନରେ ଏସିଷ୍ଟାଣ୍ଟ ପ୍ୟାଣ୍ଟ୍ରି ମ୍ୟାନେଜର ଭାବେ କାମ କରୁଥିଲେ। ସକାଳ ସମୟରେ ଅଧିକ ଚା ଚାହିଦା ପୂରଣ ପାଇଁ ପ୍ୟାଣ୍ଟ୍ରି ମ୍ୟାନେଜରଙ୍କ ଅଜ୍ଞାନରେ ଇମର୍ସନ୍ ରଡ୍ ବ୍ୟବହାର କରି ପାଣି ଗରମ କରୁଥିବାକୁ ସେ ସ୍ୱୀକାର କରିଥିଲେ।ଏହା ରେଳରେ କଡାକଡି ଭାବେ ନିଷିଦ୍ଧ ବୋଲି ସେ ଜାଣିଥିବା କଥା ମଧ୍ୟ ମାନିଥିଲେ। ତାଙ୍କ ଠାରୁ ଅନୁପମ୍ କମ୍ପାନୀର ୫ ଲିଟର ଷ୍ଟିଲ୍ ଟି କ୍ୟାନ୍ ଓ ଏକ Bajaj କମ୍ପାନୀର ଇଲେକ୍ଟ୍ରିକ୍ ଇମର୍ସନ୍ ହିଟର ଜବତ କରାଯାଇଥିଲା।
ସେହିପରି ଟ୍ରେନ୍ ନଂ 12516 କୋଇମ୍ବାତୁର ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଅନ୍ୟ ଜଣେ ପ୍ୟାଣ୍ଟ୍ରି କାର କର୍ମଚାରୀ ନିଜ ପରିଚୟ ସୁରଜିତ୍ ଚକ୍ରବର୍ତ୍ତୀ (ବୟସ–27 ବର୍ଷ), ପିତା–ଶଙ୍କର ଚକ୍ରବର୍ତ୍ତୀ, ଠିକଣା–200, ଗ୍ଲୋବାଲ୍ ସିଟି, ମେରଠ କ୍ୟାଣ୍ଟ, ମେରଠ, ଉତ୍ତର ପ୍ରଦେଶ ଭାବେ ଦେଇଥିଲେ। ପଚରାଉଚରି ସମୟରେ ସେ କହିଥିଲେ ଯେ ସେ M/s Roop Caterer ଅଧୀନରେ ପ୍ୟାଣ୍ଟ୍ରି କାର କର୍ମଚାରୀ ଭାବେ କାମ କରୁଥିଲେ। ସକାଳ ସମୟରେ ଅଧିକ ଚା ଚାହିଦା ପୂରଣ ପାଇଁ ପ୍ୟାଣ୍ଟ୍ରି ମ୍ୟାନେଜରଙ୍କ ଅଜ୍ଞାନରେ ଇମର୍ସନ୍ ରଡ୍ ବ୍ୟବହାର କରି ପାଣି ଗରମ କରୁଥିବାକୁ ସେ ସ୍ୱୀକାର କରିଥିଲେ। ତାଙ୍କ ବିବୃତି ରେକର୍ଡ କରାଯାଇଥିଲା ଏବଂ ସେ ନିଜ ଦୋଷ ସ୍ୱୀକାର କରିଥିଲେ। ତାଙ୍କ ଠାରୁ ଅନୁପମ୍ କମ୍ପାନୀର ୫ ଲିଟର ଷ୍ଟିଲ୍ ଟି କ୍ୟାନ୍ ସହିତ ଏକ Havells କମ୍ପାନୀର ଇଲେକ୍ଟ୍ରିକ୍ ଇମର୍ସନ୍ ହିଟର ଜବତ କରାଯାଇଥିଲା।
ଇମର୍ସନ୍ ହିଟର ବ୍ୟବହାର କରିବାରେ ଅଧିକ ବିଦ୍ୟୁତ ଲୋଡ୍ ସୃଷ୍ଟି ହୁଏ ଯାହାରୁ ସ୍ୱର୍ଟ ସର୍କିଟ୍, ଭୟଙ୍କର ଅଗ୍ନିକାଣ୍ଡ ଓ ଚାଲୁଥିବା ଟ୍ରେନ୍ରେ ଯାତ୍ରୀମାନଙ୍କ ଜୀବନ ପାଇଁ ଗୁରୁତର ଜୋଖିମ ସୃଷ୍ଟି ହୋଇପାରେ। ଏହା ସହିତ ଇମର୍ସନ୍ ରଡ୍ ବ୍ୟବହାର କରି ପ୍ରସ୍ତୁତ ହୋଇଥିବା ଚା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ଓ ଅସୁରକ୍ଷିତ। ଉଭୟ ବ୍ୟକ୍ତିଙ୍କୁ ରେଳୱେ ଆଇନ ଧାରା 179(2) ଅନୁଯାୟୀ ଗିରଫ କରାଯାଇଥିଲା ଯାହା ଧାରା 153 ଓ 145(c) ଅନୁସାରେ ଦଣ୍ଡନୀୟ ଅପରାଧ। ଏହା ସମ୍ବନ୍ଧରେ କେସ୍ ନଂ C3C-873/26 ଓ C3C-874/26 ତାରିଖ 12.03.2026 ରେ ରୁଜୁ କରାଯାଇଛି। ପରେ ଉଭୟ ଅଭିଯୁକ୍ତଙ୍କୁ କଟକର ମାନ୍ୟବର SDJM କୋର୍ଟରେ ଉପସ୍ଥାପନ କରାଯାଇଥିଲା ଯେଉଁଠାରେ ସେମାନେ ଜାମିନରେ ମୁକ୍ତି ପାଇଥିଲେ।












