ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସଂସଦରେ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳଗୁଡିକ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତ କରିଛନ୍ତି। ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ବିରୋଧୀ ହତ୍ୟା କରିଛନ୍ତି।
BY-SUBHASMITA-DT-23.4.2026
ଭୁବନେଶ୍ୱର: ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ରାଜନୀତି ତେଜ ହୋଇଛି। ରାଜଧାନୀର ଲୋୟର ପିଏମଜିରେ ଆୟୋଜିତ ଜନ ଆକ୍ରୋଶ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରି କଡ଼ା ଆକ୍ରମଣ କରିଛନ୍ତି।ସେ କହିଛନ୍ତି, ସଂସଦରେ ଏହି ଅଧିନିୟମକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ଦେଶର ଅଧା ଜନସଂଖ୍ୟା ସହ ବିଶ୍ୱାସଘାତ କରିଛନ୍ତି। ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ଦମନ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏହା କେବଳ ଏକ ବିଲ୍ର ବିରୋଧ ନୁହେଁ, ବରଂ ମା’ମାନଙ୍କ ସ୍ୱପ୍ନକୁ ଚୂର୍ଣ୍ଣବିଚୂର୍ଣ୍ଣ କରିବା ସମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିରୋଧୀଙ୍କ “୯୯ଟି ପାପ” ପୂରଣ ହୋଇସାରିଛି ଏବଂ ଆଗାମୀ ଦିନରେ ଜନ ଆକ୍ରୋଶର ନିଆଁ ଗାଁରୁ ସହର ପର୍ଯ୍ୟନ୍ତ ପ୍ରସାରିତ ହେବ। ଏହି ଆକ୍ରୋଶରେ ବିରୋଧୀଙ୍କ ରାଜନୈତିକ ଭବିଷ୍ୟତ ଧୂଳିସାତ୍ ହୋଇଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ସେ ମହିଳାମାନଙ୍କୁ ନିଜ ଅଧିକାର ପାଇଁ ସ୍ୱର ଉଠାଇବାକୁ ଆହ୍ୱାନ କରିଛନ୍ତି।
ଏହି ସମାବେଶରେ ମନମୋହନ ସାମଲ କହିଥିଲେ ଯେ, ବିରୋଧୀ ଦଳଙ୍କ ମହିଳା ବିରୋଧୀ ମନୋଭାବକୁ ନେଇ ରାଜ୍ୟବ୍ୟାପୀ ପଦଯାତ୍ରା ଆରମ୍ଭ ହୋଇଛି ଏବଂ ଏହାକୁ ଗ୍ରାମ ଓ ବୁଥ୍ସ୍ତର ପର୍ଯ୍ୟନ୍ତ ନିଆଯିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିରୋଧୀ ଦଳଗୁଡ଼ିକୁ କଟାକ୍ଷ କରି କହିଥିଲେ ଯେ, କଂଗ୍ରେସ ଓ ବିଜେଡି ଉଭୟ ମହିଳା ବିରୋଧୀ ଅଭିମୁଖ୍ୟ ନେଇଛନ୍ତି। ସଂସଦରେ ଏହି ବିଲ୍କୁ ବିରୋଧ କରି ସେମାନେ ମହିଳାଙ୍କ ଅଧିକାରକୁ ଅସ୍ୱୀକାର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।ସମାଗ୍ର ଘଟଣାକୁ ନେଇ ରାଜ୍ୟରେ ରାଜନୈତିକ ତାପମାତ୍ରା ବଢିବା ସହିତ ମହିଳା ସଶକ୍ତିକରଣ ପ୍ରସଙ୍ଗ ଆଉଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ଆସିଛି ।
ଚର୍ଚ୍ଚା news












