୫ ଜିଲ୍ଲାର ୧୨ରୁ ଅଧିକ ବ୍ଲକ୍ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ
ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଅଛି । ପରିସ୍ଥିତି ଧିରେ ଧିରେ ସୁଧୁରୁଛି । ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି ।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆକାଶମାର୍ଗରୁ ରାଜ୍ୟର ୫ଟି ଜିଲ୍ଲାର ୧୨ଟିରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ କରିଛନ୍ତି । ଯାଜପୁର ଜିଲ୍ଲାର ଦଶରଥପୁର, ବରୀ ଓ ବିଂଝାରପୁର, ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ ଓ ଚାନ୍ଦବାଲି, ବାଲେଶ୍ୱର ଜିଲ୍ଲାର ସୋର, ରେମୁଣା ଓ ବାଲେଶ୍ୱର ସଦର ଅଞ୍ଚଳର ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ମୟୂରଭଞ୍ଜ ଜିଲ୍ଲାର ବଡସାହି, ଉଦଳା ଓ କପ୍ତିପଦାର କିଛି ପ୍ରଭାବିତ ଅଂଶ ଏବଂ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର ପ୍ରଭାବିତ ଅଞ୍ଚଳ ଗୁଡିକର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ।
ବନ୍ୟାଞ୍ଚଳ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହିସବୁ ଅଞ୍ଚଳର ଅନେକ ଗାଁ ପାଣି ଘେରରେ ଅଛି । ପରିସ୍ଥିତି ଧିରେ ଧିରେ ସୁଧୁରୁଛି । ଆସନ୍ତା ଦୁଇ ଦିନ ଭିତରେ ବନ୍ୟା ପାଣି ଛାଡି ଯିବାର ସମ୍ଭାବନା ଅଛି । ଏଥି ସହ ବନ୍ୟା ଛାଡିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆକଳନ ପରେ ତୁରନ୍ତ କୃଷି ଓ ଘରଭଙ୍ଗା ଇତ୍ୟାଦି କ୍ଷେତ୍ରରେ ସହାୟତା ପ୍ୟାକେଜ ଦିଆଯିବ ।
ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲାର ବନ୍ୟା ପରିସ୍ଥିତି ଉପରେ ମଧ୍ୟ ସତର୍କ ଦୃଷ୍ଟି ରଖାଯାଇଛି। ଚଳିତ ବନ୍ୟାରେ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରଭାବିତ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଉଦ୍ଧାର କାମରେ ୧୭ଟି ଓଡ୍ରାଫ୍, ୭ଟି ଏନ୍ଡିଆରଏଫ୍ ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ଟିମ୍ ସାମିଲ ଅଛନ୍ତି । ୭୦୦ଟି ଆଶ୍ରୟ ସ୍ଥଳ ଓ ରିଲିଫ କ୍ୟାମ୍ପରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ରହିବା, ଶୁଖିଲା ଓ ରନ୍ଧାଖାଦ୍ୟ ବ୍ୟବସ୍ଥା, ପିଇବା ପାଣି ଓ ଡାକ୍ତରୀ ସେବାର ବ୍ୟବସ୍ଥା କରାଯାଇଛି । ଏ ସମସ୍ତ ଜିଲ୍ଲା ଗୁଡିକରେ ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ସ୍ତରରେ ରିଲିଫ ଓ ପୁନରୁଦ୍ଧାର କାମର ତଦାରଖ କରୁଛନ୍ତି । ରିଲିଫ ଓ ଉଦ୍ଧାର କାମ ପାଇଁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠିରୁ ୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।
ଚର୍ଚ୍ଚା news












