ସାମ୍ବାଦିକ ରାଜୀବ କୁମାର ବେହେରା
ଉଦଳା : ଦୀର୍ଘ ଦିନର ବିରତି ପରେ ପୁଣି ଉଦଳା ଅଞ୍ଚଳରେ ସକ୍ରିୟ ହୋଇଛନ୍ତି ମନ୍ଦିର ଲୁଟେରା। ଗତକାଲି ରାତିରେ ପ୍ରବଳ ଥଣ୍ଡାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଉଦଳା ସହରର ଦୁଇଟି ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଲୁଟ କରି ଫେରାର ମାରିଛନ୍ତି। ଏହି ଘଟଣା ପରେ ପୁଣି ଅଶାନ୍ତ ହୋଇପଡ଼ିଛି ଉଦଳା ସହର। ସୂଚନା ଅନୁସାରେ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୯ ନମ୍ବର ୱାର୍ଡରେ ଅବସ୍ଥିତ ମଣିନାଗେଶ୍ୱର ମନ୍ଦିରର ଠାକୁରଙ୍କ ବ୍ୟବହୃତ ସାମଗ୍ରୀ ସହିତ ହୁଣ୍ଡୀ ବାକ୍ସ ଭାଙ୍ଗି ଦୁର୍ବୁତ୍ତମାନେ ସବୁକିଛି ଲୁଟ କରି ନେଇଛନ୍ତି। ଏହା ସହ ପାଖରେ ଥିବା ଗାୟତ୍ରୀ ମନ୍ଦିରରୁ ମାଆଙ୍କ ରୁପା ମୁକୁଟ, ଅନ୍ୟାନ୍ୟ ରୁପା ସାମଗ୍ରୀ ଓ ବ୍ୟବହୃତ ପିତଳ ଜିନିଷ ମଧ୍ୟ ଲୁଟି ନେଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଲୁଟେରାଙ୍କ ପାଦଚିହ୍ନ ସହ ଛୋଟ ପିଲାଙ୍କ ପାଦଚିହ୍ନ ମିଳିଥିବାରୁ ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଖବର ପାଇ ଉଦଳା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରମ୍ବାର ଏପରି ଚୋରି ଘଟଣା ସାମ୍ନାକୁ ଆସୁଥିବା ସତ୍ତ୍ୱେ ଦୁର୍ବୁତ୍ତମାନେ ଧରାନ ପଡ଼ୁନଥିବାରୁ ପୋଲିସର କାର୍ଯ୍ୟପଦ୍ଧତିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି
ଶୀତ ରାତିର ସୁଯୋଗ ନେଇ ଦୁଇଟି ମନ୍ଦିର ଖାଲି କଲେ ଦୁର୍ବୁତ୍ତ
By Charcha News












