ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି ।
ଗୀତା ପାଠରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା । ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି । ଭଗବଦ୍ଗୀତାର ଷଷ୍ଠ ଅଧ୍ୟାୟ ‘ଆତ୍ମସଂଯମ ଯୋଗ’କୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବ ଏବଂ ସେଠାରୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ।
ତେବେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ତାରିଖ ସମ୍ପର୍କରେ ବିଭାଗୀୟ ପତ୍ରରେ କୌଣସି ସୂଚନା ଦିଆଯାଇନାହିଁ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାଙ୍କୁ ନେଇ ଡିସେମ୍ବର ୨୬ ଓ ୨୭, ୨୦୨୬ରେ ପୁରୀର ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ରେ ରାଜ୍ୟସ୍ତରୀୟ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ । ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ୍ ପ୍ରଦାନ କରାଯିବ । ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କଠାରୁ କୌଣସି ଅଂଶଗ୍ରହଣ ଫି’ ନିଆଯିବ ନାହିଁ
ଗୀତା ପାଠ ପ୍ରତିଯୋଗିତା ସହିତ ଗୀତା ଜ୍ଞାନ ପରୀକ୍ଷା ମଧ୍ୟ ପୃଥକ୍ ଭାବେ ଆୟୋଜନ କରାଯିବ । ଏହି ପରୀକ୍ଷାର ତାରିଖ ଓ ଅନ୍ୟାନ୍ୟ ବିବରଣୀ ପରେ ଆୟୋଜକଙ୍କ ପକ୍ଷରୁ ଜଣାଇ ଦିଆଯିବ । ପରୀକ୍ଷାରେ ଅଂଶ ନେବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ରେ ନିର୍ଦ୍ଧାରିତ ପରୀକ୍ଷା ଫି’ ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ । ଏହି କାର୍ଯ୍ୟକ୍ରମରେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଅଂଶଗ୍ରହଣ ପାଇଁ ଅନୁମତି ଦେବାକୁ ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପାଇଁ ଓଡ଼ିଆ ଭାଷାରେ ପ୍ରସ୍ତୁତ ବୁକ୍ଲେଟ୍ ମଧ୍ୟ ପଠାଯାଇଛି । ଆୟୋଜକଙ୍କ ବୁକ୍ଲେଟ୍ରେ ପଞ୍ଜୀକରଣ ଓ ପ୍ରତିଯୋଗିତା ସମ୍ପର୍କିତ ଅନ୍ୟାନ୍ୟ ସୂଚନା ଦିଆଯାଇଛି ।
ଚର୍ଚ୍ଚା tv











