ପଞ୍ଜିକରଣ ପରେ ଚାଷୀଙ୍କୁ ରସିଦ ଦେବାକୁ ମଧ୍ୟ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଦୁଇ ପ୍ରକାରର ଚାଷୀ ପଞ୍ଜିକରଣ ପ୍ରାପ୍ତିପତ୍ର ଦିଆଯାଉଛି । ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର ଏବଂ ବିନା ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର । ଉଭୟ ପ୍ରାପ୍ତିପତ୍ର ବୈଧ ଅଟେ ।
ଖରିଫ ଧାନ ସଂଗ୍ରହ ଋତୁ ୨୦୨୬-୨୭ ପାଇଁ ଚାଷୀ ପଞ୍ଜିକରଣକୁ ନେଇ ଆସିଛି ବଡ଼ ଖବର । ଆଗ୍ରିଷ୍ଟାକ୍ ପଞ୍ଜିକରଣ ବର୍ତ୍ତମାନ ଚାଷୀଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଆଗ୍ରିଷ୍ଟାକ୍ ପଞ୍ଜିକରଣ ନଥିଲେ ବି କୌଣସି ଚାଷୀ ଧାନ ବିକ୍ରିରୁ ବଞ୍ଚିତ ହେବେ ନାହିଁ । ଏନେଇ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ସ୍ପଷ୍ଟ କରାଯାଇଛି । ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଚାଷୀ ପଞ୍ଜିକରଣ ପାଇଁ ଆସନ୍ତା ଅକ୍ଟୋବର ପର୍ଯ୍ୟନ୍ତ ସମୟ ରହିଛି । ନିକଟସ୍ଥ ପାକ୍ସ, କମନ୍ ସର୍ଭିସ ସେଣ୍ଟର ଓ ସହାୟକ ମୋଡ୍ ଜରିଆରେ ପଞ୍ଜିକରଣ କରାଯାଇପାରିବ । ଆଗ୍ରିଷ୍ଟାକ୍ ହେଉଛି ଏକ ସମନ୍ୱିତ କୃଷକ ପ୍ଲାଟଫର୍ମ । ଏଥିରେ ପଞ୍ଜିକରଣ କଲେ ଚାଷୀଙ୍କୁ ଏକ ଅନନ୍ୟ ଫାର୍ମର ଆଇଡି ମିଳିବ ଏବଂ ସରକାରୀ ସୁବିଧା ପାଇବା ସହଜ ହେବ । ଏପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷ ଚାଷୀ ଆଗ୍ରିଷ୍ଟାକ୍ ଅଧୀନରେ ପଞ୍ଜିକୃତ ହୋଇସାରିଛନ୍ତି । ସେହିପରି ଭାଗଚାଷୀଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତି ଚାଲିଛି । ଚାଷୀଙ୍କ ସମ୍ଭାବ୍ୟ ସମସ୍ୟାର ସମାଧାନ ପାଇଁ ସରକାର ପଦକ୍ଷେପ ନେଉଛନ୍ତି ।
ଖରିଫ ୨୦୨୬-୨୭ ପାଇଁ ଏପର୍ଯ୍ୟନ୍ତ ୯୪ ହଜାର ୬୫୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିସାରିଛନ୍ତି । ଏଥିରେ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ପଞ୍ଜିକରଣ ହୋଇଛି । ଚାଷୀଙ୍କୁ ପଞ୍ଜିକରଣରେ ସହଯୋଗ କରିବା ପାଇଁ ଭିଏଡବ୍ଲୁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜିକରଣ ପରେ ଚାଷୀଙ୍କୁ ରସିଦ ଦେବାକୁ ମଧ୍ୟ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଦୁଇ ପ୍ରକାରର ଚାଷୀ ପଞ୍ଜିକରଣ ପ୍ରାପ୍ତିପତ୍ର ଦିଆଯାଉଛି । ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର ଏବଂ ବିନା ଆଗ୍ରିଷ୍ଟାକ୍ ପଞ୍ଜିକୃତ ଚାଷୀଙ୍କ ପ୍ରାପ୍ତିପତ୍ର । ଉଭୟ ପ୍ରାପ୍ତିପତ୍ର ବୈଧ ଅଟେ ।
ଅନ୍ୟପଟେ, ରବି ଋତୁ ୨୦୨୫-୨୬ରେ ୩ ଲକ୍ଷ ୬୩ ହଜାର ୫୫୩ ଜଣ ଚାଷୀଙ୍କଠାରୁ ୨୦ ଲକ୍ଷ ୪୬ ହଜାର ୧୮୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି । ଯାହା ୨୦୨୪-୨୫ରେ ସଂଗୃହୀତ ୧୯ ଲକ୍ଷ ୧୮ ହଜାର ୫୨୮ ମେଟ୍ରିକ୍ ଟନ୍ ତୁଳନାରେ ଅଧିକ । ରବି ଋତୁରେ ଏପର୍ଯ୍ୟନ୍ତ ୩ ଲକ୍ଷ ୬୩ ହଜାର ୧୪୯ ଜଣ ଚାଷୀଙ୍କୁ ଏମଏସପି ଓ ଇନପୁଟ୍ ସହାୟତା ବାବଦରେ ୪ ହଜାର ୮୪୪ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର କୌଣସି ଚାଷୀ ଯେପରି ଧାନ ବିକ୍ରିରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି:
– ଚାଷୀଙ୍କ ପାଇଁ ଆଗ୍ରିଷ୍ଟାକ ପଞ୍ଜିକରଣ ବର୍ତ୍ତମାନ ପାଇଁ ବାଧ୍ୟତାମୂଳକ ନୁହେଁ ।
– ଚାଷୀ ମାନେ ନିକଟସ୍ଥ ପାକ୍ସ, କମନ ସର୍ଭିସ ସେଣ୍ଟର ଓ ସହାୟକ ମୋଡ୍ରେ ପଞ୍ଜିକରଣ କରିପାରିବେ ।
– ପ୍ରାୟ ୬ଲକ୍ଷ ଚାଷୀ ଆଗ୍ରିଷ୍ଟାକ ଅଧୀନରେ ନିଜକୁ ପଞ୍ଜିକୃତ କରିଛନ୍ତି ।
– ରବି ଋତୁ ୨୦୨୫-୨୬ ରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କ୍ରୟ ।
– ୩ ଲକ୍ଷ ୬୩ ହଜାର ୫୫୩ ଜଣ ଚାଷୀ ରବି ଋତୁରେ ସେମାନଙ୍କ ଧାନ ବିକ୍ରି କରିଛନ୍ତି ।
– ରବି ଋତୁ ପାଇଁ ଆଜି ସୁଦ୍ଧା ୩ ଲକ୍ଷ ୬୩ ହଜାର ୧୪୯ ଚାଷୀଙ୍କୁ ୪ ହଜାର ୮୪୪ କୋଟି ଟଙ୍କା ଏମଏସପି ଓ ଇନପୁଟ ସହାୟତା ବାବଦରେ ପ୍ରଦାନ କରାଯାଇଛି ।
– ଭାଗଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ ହେଉଛି ।
ଚର୍ଚ୍ଚା ntv











