କଟକ ଉପଜିଲ୍ଲା ପୋଲିସ (UPD) ପକ୍ଷରୁ ଏକ ସଫଳ ଅଭିଯାନରେ କଟକର ଏସ୍ସିବି ମେଡିକାଲ କଲେଜ୍ ଏବଂ ହସ୍ପିଟାଲ ସ୍ଥିତ ସେଣ୍ଟ୍ରାଲ୍ ରେଡ୍ କ୍ରସ୍ ବ୍ଲଡ୍ ବ୍ୟାଙ୍କରୁ ୩ ଜଣ ରକ୍ତ ଦଳାଳଙ୍କୁ ଗିରଫ କରାଯାଇଛି। ଜଗତସିଂହପୁର ଜିଲ୍ଲାର ବାଲିକୁଡା ଥାନା ଅଧୀନ ବାଲିପଟ୍ଣା ଗ୍ରାମର ବିବେକାନନ୍ଦ ବେହେରାଙ୍କ ଅଭିଯୋଗ ପରେ ୦୪.୦୪.୨୦୨୬ ତାରିଖରେ ମଙ୍ଗଳାବାଗ ଥାନା ପୋଲିସ ଦଳ ଚଢ଼ାଉ କରି ଏହି ତିନି ଜଣ ମଧ୍ୟସ୍ଥଙ୍କୁ ଧରିବାରେ ସଫଳ ହୋଇଥିଲେ। ଏହି ଦଳାଳମାନେ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନମାନଙ୍କୁ ଭୁଲ ଆଶ୍ୱାସନ ଦେଇ ଶୀଘ୍ର ରକ୍ତ ବ୍ୟବସ୍ଥା କରିଦେବେ ବୋଲି କହି ଟଙ୍କା ଆଦାୟ କରୁଥିବା ଅଭିଯୋଗ ମିଳିଛି। ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ନିର୍ଦୋଷ ଲୋକମାନଙ୍କୁ ଟାର୍ଗେଟ୍ କରି ସେମାନେ ଠକେଇ କରୁଥିବା କଥା ପ୍ରକାଶ ପାଇଛି। ଏହି ଘଟଣାରେ ମଙ୍ଗଳାବାଗ ଥାନାରେ କେସ୍ ନମ୍ବର ୧୧୧, ତାରିଖ ୦୪.୦୪.୨୦୨୬ ଅନୁଯାୟୀ ଧାରା ୩୦୮(୪)/୩(୫) ବିଏନଏସ୍ ଅଧୀନରେ ମାମଲା ରୁଜୁ ହୋଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଯାଜପୁର ଜିଲ୍ଲା ବାରି ଅଞ୍ଚଳର ସିବ ମହାନ୍ତ (୨୯), କେନ୍ଦ୍ରାପଡା ଜିଲ୍ଲା ସଦର ଥାନା ଅଧୀନ ବାଣ୍ଡାପଡାର ଅଭିନାଶ ରାଉତ ଅକା ଅଭି (୨୮) ଏବଂ ଜଗତସିଂହପୁର ଜିଲ୍ଲା ନାଇଲୋ ଅଞ୍ଚଳର ଧନେଶ୍ୱର ମହାନ୍ତି ଅକା ଧନୁ (୪୦)। ପୋଲିସ ତଦନ୍ତରେ ସେମାନେ ନିଜ ଅପରାଧ ସ୍ୱୀକାର କରିଥିବା ସହିତ ଦୀର୍ଘଦିନ ଧରି ଏହି ପ୍ରକାର ଅବୈଧ କାର୍ଯ୍ୟ କରୁଥିବା କଥା ମାନିଛନ୍ତି। ଗିରଫ ପରେ ସେମାନଙ୍କୁ ଆଜି ଆଦାଲତରେ ଉପସ୍ଥାପନ କରାଯାଇ ଚୌଦ୍ୱାର ସର୍କିଲ୍ ଜେଲ୍କୁ ନ୍ୟାୟିକ ହିରାସତରେ ପଠାଯାଇଛି। ଏହି ମାମଲାର ତଦନ୍ତ ଚାଲିଥିବା ବେଳେ କଟକ UPD ପୋଲିସ ପକ୍ଷରୁ ଏସ୍ସିବି ମେଡିକାଲ କ୍ୟାମ୍ପସକୁ ଦଳାଳମୁକ୍ତ କରିବା ପାଇଁ ସଂକଳ୍ପ ବ୍ୟକ୍ତ କରାଯାଇଛି ଏବଂ ସାଧାରଣ ଲୋକଙ୍କୁ ସହଯୋଗ ଓ ସଚେତନତା ପାଇଁ ଅନୁରୋଧ କରାଯାଇଛି ।
ଚର୍ଚ୍ଚା news












