ଓଡ଼ିଶାର ଜୀବନରେଖା ତଥା ମହାନଦୀର ବରଦାନ ହେଉଛି ହୀରାକୁଦ ଅଳ୍ପ ପ୍ରସିଦ୍ଧ ଜଳଭଣ୍ଡାର ଏବଂ ବନ୍ଧ । ଏହା କେବଳ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନୁହେଁ, ବରଂ ଓଡ଼ିଶା ପାଇଁ ଏକ ଦୃଢ଼ ସୁରକ୍ଷା କବଚ ।
BY-SUBHASMITA- DT-3.8.2026
ଓଡ଼ିଶା ପାଇଁ ସୁରକ୍ଷା କବଚ ବୁଢ଼ା ବନ୍ଧ । ହଜାର ହଜାର ଲୋକଙ୍କ ଜୀବନ ବଞ୍ଚାଇଛି ହୀରାକୁଦ । ଓଡ଼ିଶାର ଜୀବନରେଖା ତଥା ମହାନଦୀର ବରଦାନ ହେଉଛି ହୀରାକୁଦ ଅଳ୍ପ ପ୍ରସିଦ୍ଧ ଜଳଭଣ୍ଡାର ଏବଂ ବନ୍ଧ । ଏହା କେବଳ ଏକ ଜଳବିଦ୍ୟୁତ୍ ପ୍ରକଳ୍ପ ନୁହେଁ, ବରଂ ଓଡ଼ିଶା ପାଇଁ ଏକ ଦୃଢ଼ ସୁରକ୍ଷା କବଚ । ପୂର୍ବକାଳରେ ମହାନଦୀର ବନ୍ୟା ଓଡ଼ିଶାରେ ଭୀଷଣ କ୍ଷୟକ୍ଷତି ଘଟାଉଥିଲା, ଯାହାକୁ ‘ଓଡ଼ିଶାର ଶୋକ’ କୁହାଯାଉଥିଲା । ହେଲେ ହୀରାକୁଦ ବନ୍ଧ ନିର୍ମାଣ ହେବା ପରେ ଏହି ଭୟଙ୍କର ବନ୍ୟା ନିୟନ୍ତ୍ରିତ ହୋଇପାରିଛି । ଲକ୍ଷାଧିକ ଲୋକଙ୍କ ଜୀବନ ଓ ସମ୍ପତ୍ତି ସୁରକ୍ଷିତ ହୋଇଛି ।
ଏହା ସହିତ, ଏହି ବନ୍ଧରୁ ବାହାରିଥିବା କେନାଲ ଜରିଆରେ ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦିଆଯାଉଥିବାରୁ ଏହା ରାଜ୍ୟର ଖାଦ୍ୟ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିଛି । ବିଦ୍ୟୁତ୍ ଉତ୍ପାଦନ ଦୃଷ୍ଟିରୁ ମଧ୍ୟ ଏହା ଶିଳ୍ପ ଓ ଅର୍ଥନୈତିକ ବିକାଶର ମୂଳଦୁଆ ପକାଇଛି । ତେଣୁ ହୀରାକୁଦ ଓଡ଼ିଶାବାସୀଙ୍କୁ ବନ୍ୟାର କରାଳ ଛାୟାରୁ ରକ୍ଷା କରି ଏକ ସମୃଦ୍ଧ ଓ ସୁରକ୍ଷିତ ଭବିଷ୍ୟତ ପ୍ରଦାନ କରିଛି କହିଲେ ଭୁଲ ହେବନି ।
୨୦୦୧ରେ ଓଡ଼ିଶା ଦେଖିଥାନ୍ତା ଶତାବ୍ଦୀର ବଡ଼ ବନ୍ୟା, ବଞ୍ଚାଇ ଦେଲା ହୀରାକୁଦ ବନ୍ଧ। ଲଘୁଚାପ ଫଳରେ ଓଡ଼ିଶାରେ ଜାରି ରହିଥିଲା ଲଗାଣ ବର୍ଷା। ଉତ୍ତର ଓଡ଼ିଶାରେ ବନ୍ୟାର ଆଁରେ ଜୀବନ ଯାଉଥିଲା । ଏପଟେ ମହାନଦୀରେ ବି ବନ୍ୟାର ସ୍ଥିତି । ସେତେବେଳେ ଜୀବନ ରକ୍ଷାକାରୀ ସାଜିଥିଲା ହୀରାକୁଦ। ୧୭ ଜୁଲାଇ ୨୦୦୧ ମସିହାରେ ମୁଣ୍ଡଳୀରେ ୧୧.୨୧ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୋଇଥିଲା । ୩୬ ଘଣ୍ଟା ପୂର୍ବରୁ ହୀରାକୁଦରେ ଇନଫ୍ଲୋ ଥିଲା ୭.୯୨ ଲକ୍ଷ କ୍ୟୁସେକ ଜଳ। ଯଦି ହୀରାକୁଦ ବନ୍ଧ ନଥାନ୍ତା ତେବେ ମୁଣ୍ଡଳିରେ ପ୍ରବାହିତ ହୋଇଥାନ୍ତା ୧୯.୧୩ ଲକ୍ଷ କ୍ୟୁସେକ ଜଳ । ୨୦୦୧ ବନ୍ୟାରେ ୧୦୦ ଜଣଙ୍କର ଜୀବନ ଯାଇଥିଲା । ମହାନଦୀର ବନ୍ୟାରେ ମଧ୍ୟ ଯାଇଥାନ୍ତା ହଜାର ହଜାର ଜୀବନ କିନ୍ତୁ ବଞ୍ଚାଇଦେଇଥିଲା ହୀରାକୁଦ ଡ୍ୟାମ। ସେହିପରି ୩୦ ଅଗଷ୍ଟ ୨୦୦୩ରେ ମୁଣ୍ଡଳୀରେ ୧୨.୧୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ହୀରାକୁଦରେ ପ୍ରାୟ ୪ ଲକ୍ଷ ଇନଫ୍ଲୋ ଥିଲା । ଯଦି ହୀରାକୁଦ ଡ୍ୟାମ ନଥାନ୍ତା ତେବେ ମୁଣ୍ଡଳୀରେ ୧୫.୯୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇଥାନ୍ତା । ଯାହା ପୂର୍ବ ଓଡ଼ିଶାକୁ ବୁଡେଇ ଦେଇଥାନ୍ତା ।
୨୦୦୩ ବନ୍ୟାରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିଲା। ହୀରାକୁଦ ଡ୍ୟାମ ଉପରମୁଣ୍ଡର ବନ୍ୟାପାଣିକୁ ଅଟକାଇ ଶହ ଶହ ଜୀବନ ବଞ୍ଚାଇଦେଇଥିଲା । ଉପର ମୁଣ୍ଡରୁ ପ୍ରବଳ ପାଣି ଆସୁଥିଲେ ସୁଦ୍ଧା, ତଳମୁଣ୍ଡରେ ବନ୍ୟା ସ୍ଥିତି ଥିବାରୁ ୬୨୯ ଫୁଟ୍ ପର୍ଯ୍ୟନ୍ତ ହୀରାକୁଦ ବନ୍ୟା ଜଳ ରଖିଥିଲା ଓ ଉପକୂଳ ଓଡ଼ିଶା ପାଇଁ ସୁରକ୍ଷା କବଚ ବନିଥିଲା । ଚଳିତ ବର୍ଷ ମଧ୍ୟ ରୁଲ କର୍ଭ ଉଲ୍ଲଂଘନ କରି ବଡ଼ ବନ୍ୟାକୁ ରୋକି ପାରିଛି ହୀରାକୁଦ ବନ୍ଧ । ୬୨୫ ଫୁଟ ପର୍ଯ୍ୟନ୍ତ କେବଳ ୨ଟି ଗେଟ୍ ଖୋଲାଯାଇଥିଲା । ଖଇରମାଳରେ ଜଳ ପ୍ରବାହ କମିବା ପରେ ବା ବନ୍ୟା ଆଶଙ୍କା ଟଳିବା ପରେ ୨୦ଟି ଗେଟ ଖୋଲାଯାଇଥିଲା। ମୁଣ୍ଡଳୀରେ ୮.୮୮ ଲକ୍ଷ କ୍ୟୁସେକ ଜଳି ପ୍ରବାହିତ ହୋଇଥିଲା । ଯଦି ସେହି ସମୟରେ ହୀରାକୁଦର ଗେଟ ଖୋଲାଯାଇଥାନ୍ତା ତେବେ ମୁଣ୍ଡଳୀରେ ୩୬ ଘଣ୍ଟା ପରେ ୧୦ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରବାହିତ ହୋଇଥାନ୍ତା ଓ ଓଡ଼ିଶା ଏକ ବଡ଼ ଧରଣର ବନ୍ୟାର ସମ୍ମୁଖୀନ ହୋଇଥାନ୍ତା । ସେଇଥିପାଇଁ ହୀରାକୁଦକୁ ଓଡ଼ିଶାର ସୁରକ୍ଷା କବଚ ବୋଲି କୁହାଯାଏ ।
ଚର୍ଚ୍ଚା NEWS











