BY-ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ରେ ଅଭାବ ନୀୟ ଘଟଣା ମାସେ ହେଲା ଜଳୁନି ଚୁଲା, ଶିଶୁଙ୍କୁ ମିଳୁନି ଗରମ ଖାଦ୍ୟ
୩୦ ଶିଶୁଙ୍କ କେନ୍ଦ୍ରରେ ଏବେ କାଁ ଭାଁ ପିଲା; ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଛୋଟ ଶିଶୁଙ୍କ ପୁଷ୍ଟିକର ଖାଦ୍ୟ, ପ୍ରାଥମିକ ଶିକ୍ଷା ଓ ସୁସ୍ଥ ବିକାଶ ପାଇଁ ସରକାର ଚଳାଇଛନ୍ତି ଅଙ୍ଗନବାଡି ବ୍ୟବସ୍ଥା। କିନ୍ତୁ କପ୍ତିପଦା ବ୍ଲକ ଅଧୀନ ରାମଚନ୍ଦ୍ରପୁର ଅଙ୍ଗନବାଡି କେନ୍ଦ୍ରର ସ୍ଥିତିକୁ ନେଇ ଉଠିଛି ଗୁରୁତର ଅଭିଯୋଗ।
ଅଭିଯୋଗ ଅନୁସାରେ, ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି କେନ୍ଦ୍ରରେ ରୋଷେଇ ବନ୍ଦ ରହିଛି। ଫଳରେ ଛୋଟ ଛୋଟ ଶିଶୁମାନେ ଗରମ ରନ୍ଧା ଖାଦ୍ୟରୁ ବଞ୍ଚିତ ହେଉଥିବା କୁହାଯାଇଛି।
ଚାଉଳ ଓ ରୋଷେଇ ସାମଗ୍ରୀ ଅଭାବରୁ ବନ୍ଦ ଚୁଲା!
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରରେ ଚାଉଳ ଓ ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ନଥିବାରୁ ଖାଦ୍ୟ ପ୍ରସ୍ତୁତ ହେଉନାହିଁ। ଯେଉଁ ଶିଶୁମାନେ କେନ୍ଦ୍ରକୁ ଆସୁଛନ୍ତି, ସେମାନଙ୍କୁ କେବଳ ଶୁଖିଲା ଖାଦ୍ୟ ଦିଆଯାଉଥିବା ଅଭିଯୋଗ ରହିଛି।
ଏକ ସମୟରେ ପ୍ରାୟ ୩୦ ଜଣ ଶିଶୁ ନିୟମିତ ଭାବେ ଏହି କେନ୍ଦ୍ରକୁ ଆସୁଥିଲେ। କିନ୍ତୁ ବର୍ତ୍ତମାନ କେନ୍ଦ୍ରରେ ହାତଗଣତି କିଛି ଶିଶୁଙ୍କୁ ଦେଖିବାକୁ ମିଳୁଥିବା ନେଇ ଅଭିଭାବକମାନେ ଚିନ୍ତା ପ୍ରକାଶ କରିଛନ୍ତି।
ଖାଦ୍ୟ ସହ ପାଠପଢ଼ା ନେଇ ମଧ୍ୟ ଅଭିଯୋଗ
କେବଳ ରୋଷେଇ ବନ୍ଦ ନୁହେଁ, ଶିଶୁଙ୍କ ପାଇଁ ନିୟମିତ ପାଠପଢ଼ା ଓ ଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ସଠିକ୍ ଭାବେ ହେଉନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି।
କର୍ମୀଙ୍କ ଉପସ୍ଥିତିକୁ ନେଇ ଉଠିଲା ପ୍ରଶ୍ନ
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଅଙ୍ଗନବାଡି କର୍ମୀ ବେଲମଣି ହେମ୍ବ୍ରମଙ୍କ ନିୟମିତ ଉପସ୍ଥିତିକୁ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ଦିନଗୁଡ଼ିକରେ ହେଲପରଙ୍କ ଭରସାରେ କେନ୍ଦ୍ର ପରିଚାଳିତ ହେଉଥିବା ଅଭିଯୋଗ ହୋଇଛି।
ଏହି ସମସ୍ତ ଅଭିଯୋଗର ସତ୍ୟତା ଓ ପ୍ରଶାସନିକ ତଦନ୍ତ ପରେ ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।
ଏବେ ଉଠୁଛି ବଡ଼ ପ୍ରଶ୍ନ…
ଶିଶୁଙ୍କ ପାଇଁ ଖୋଲାଯାଇଥିବା ଅଙ୍ଗନବାଡିରୁ ଯଦି ଶିଶୁମାନେ ଦୂରେଇଯାଆନ୍ତି, ତେବେ ଏହାର ଦାୟୀ କିଏ?
ମାସେ ମାସେ ରୋଷେଇ ବନ୍ଦ ରହିଲେ ଶିଶୁଙ୍କ ପୁଷ୍ଟି ଓ ଭବିଷ୍ୟତର ଦାୟିତ୍ୱ କିଏ ନେବ?
ଗ୍ରାମବାସୀଙ୍କ ଦାବି—ଘଟଣାର ତୁରନ୍ତ ତଦନ୍ତ କରାଯାଇ ନିୟମିତ ଗରମ ଖାଦ୍ୟ, ପାଠପଢ଼ା ଓ ଅଙ୍ଗନବାଡି ସେବା ସୁନିଶ୍ଚିତ କରାଯାଉ।
ଚର୍ଚ୍ଚା tv











