ଅଭାବ ଓ ନେଟୱାର୍କ ସମସ୍ୟାକୁ ପାର୍ କରି NEETରେ ସଫଳ ଦୁଇ ଭଉଣୀ
BY-ରାଜୀବ କୁମାର ବେହେରା
ଉଦଳା -ସୁବିଧା ନଥିଲା, ଥିଲା ଆର୍ଥିକ ଅଭାବ ଓ ନେଟୱାର୍କ ସମସ୍ୟା। ତଥାପି ହାର ମାନିନଥିଲେ। ଜଙ୍ଗଲର ନିରବ ପରିବେଶକୁ ପାଠପଢ଼ାର ସାଥୀ କରି ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ NEET ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ମଝିଗଡ଼ିଆ ପଞ୍ଚାୟତ ଅଧୀନ ମହୁଲପଙ୍ଖା ଗାଁର ଦୁଇ ଭଉଣୀ ଯଜ୍ଞସେନୀ ଓ ଦିବ୍ୟସେନୀ।
ଆର୍ଥିକ ଅଭାବ ସହ ଅନେକ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଦୁଇ ଭଉଣୀ ନିଜ ପାଠପଢ଼ା ଜାରି ରଖିଥିଲେ। ଅନଲାଇନ୍ ପାଠପଢ଼ା ପାଇଁ ନେଟୱାର୍କ ସମସ୍ୟା ଦେଖାଦେଲେ ଜଙ୍ଗଲକୁ ଯାଇ ନେଟୱାର୍କ ଖୋଜି ପାଠ ପଢ଼ୁଥିଲେ। ସୁବିଧାର ଅଭାବ ସେମାନଙ୍କ ଲକ୍ଷ୍ୟକୁ ଦୁର୍ବଳ କରିପାରିନଥିଲା। ଡାକ୍ତର ହେବାର ସ୍ୱପ୍ନକୁ ଆଖିରେ ରଖି ଦୁହେଁ ନିରନ୍ତର ପରିଶ୍ରମ କରିଥିଲେ।
ଶେଷରେ ସେମାନଙ୍କ ଅଦମ୍ୟ ପରିଶ୍ରମ ରଙ୍ଗ ଆଣିଛି। ଦୁହେଁ NEET ପରୀକ୍ଷାରେ ସଫଳତା ହାସଲ କରି ଏବେ ଡାକ୍ତରୀ ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ। ଏହି ସଫଳତାରେ ପରିବାର, ଗାଁ ଓ ସମଗ୍ର ଅଞ୍ଚଳରେ ଖୁସିର ମାହୋଲ ସୃଷ୍ଟି ହୋଇଛି।
ଯଜ୍ଞସେନୀ ଓ ଦିବ୍ୟସେନୀଙ୍କ ସଫଳତା ପ୍ରମାଣ କରିଛି ଯେ ସଫଳତା ପାଇଁ ସବୁବେଳେ ବଡ଼ ସୁବିଧା ନୁହେଁ, ଦରକାର ଦୃଢ଼ ସଙ୍କଳ୍ପ, ନିଷ୍ଠା ଓ ଅଦମ୍ୟ ପରିଶ୍ରମ। ଜଙ୍ଗଲରୁ ଆରମ୍ଭ ହୋଇଥିବା ଏହି ଦୁଇ ଭଉଣୀଙ୍କ ସ୍ୱପ୍ନ ଏବେ ଡାକ୍ତରୀ ଶିକ୍ଷାର ଦ୍ୱାରଦେଶରେ। ସେମାନଙ୍କ ଏହି ସଫଳତା ଅଭାବ ଭିତରେ ସ୍ୱପ୍ନ ଦେଖୁଥିବା ଅନେକ ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ଆଲୋକବର୍ତ୍ତିକା, ଆଉ ପ୍ରେରଣା ଦାୟକ ।
ଚର୍ଚ୍ଚା tv










