ଉଡ଼ାନ ୨.୦ ପ୍ରକଳ୍ପରେ ମାଗଣା ଶିକ୍ଷାର ସୁଯୋଗ
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଶୁଳ୍କ ଶିକ୍ଷା ପାଇବେ ଛାତ୍ରଛାତ୍ରୀ
BY-ରାଜୀବ କୁମାର ବେହେରା
ଉଦଳା :: ଏକ ଉତ୍ତମ ଓ ସୁସ୍ଥ ସମାଜ ଗଠନରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଶିଶୁ ଶିକ୍ଷାର ଆଲୋକ ପାଇ ଆସନ୍ତାକାଲିର ସୁନାଗରିକ ଭାବେ ଗଢ଼ିଉଠିଥାଏ। ଏହି ସୁନାଗରିକମାନେ ହିଁ ଭବିଷ୍ୟତରେ ଦେଶର ଉନ୍ନତି ଓ ପ୍ରଗତିର ମୂଳଦୁଆ ସାଜିଥାନ୍ତି।
ସମାଜର ପ୍ରତ୍ୟେକ ଶିଶୁଙ୍କ ପାଖରେ ଶିକ୍ଷାର ଆଲୋକ ପହଞ୍ଚାଇବା ଲକ୍ଷ୍ୟରେ ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍ର କୁଆମରା ଗ୍ରାମରେ ଆରମ୍ଭ ହୋଇଛି ଏକ ପ୍ରଶଂସନୀୟ ପଦକ୍ଷେପ। ଉଡ଼ାନ ୨.୦ ପ୍ରକଳ୍ପ ଜରିଆରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଓ ଛାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯିବ ବୋଲି ସୂଚନା ମିଳିଛି।
ଏହି ମହତ୍ ପଦକ୍ଷେପକୁ ସଫଳ କରିବା ନେଇ କୁଆମରା ହାଇସ୍କୁଲ ପରିସରରେ ଜନ ବିକାଶ ଫାଉଣ୍ଡେସନ ଓ ଗାୟତ୍ରୀ ଫାଉଣ୍ଡେସନର କର୍ମକର୍ତ୍ତାମାନଙ୍କ ଉପସ୍ଥିତିରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଉଡ଼ାନ ୨.୦ ପ୍ରକଳ୍ପର ଉଦ୍ଦେଶ୍ୟ, ଶିକ୍ଷାଦାନ ପ୍ରକ୍ରିୟା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଏହି ପ୍ରକଳ୍ପର ଭୂମିକା ସମ୍ପର୍କରେ କର୍ମକର୍ତ୍ତାମାନେ ନିଜର ପ୍ରତିକ୍ରିୟା ରଖିଥିଲେ।
ଗ୍ରାମାଞ୍ଚଳର ଅର୍ଥନୈତିକ ଭାବେ ଦୁର୍ବଳ ପରିବାରର ଶିଶୁମାନେ ମଧ୍ୟ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଉଡ଼ାନ ୨.୦ ପ୍ରକଳ୍ପ ଏକ ଆଶାର କିରଣ ସାଜିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଶା ପ୍ରକାଶ ପାଇଛି।
ଶିକ୍ଷାର ଆଲୋକ ପହଞ୍ଚିଲେ, ଉଜ୍ଜ୍ୱଳ ହେବ ଭବିଷ୍ୟତ
ଉଡ଼ାନ ୨.୦ ସହ ଆରମ୍ଭ ହେଲା ଶିକ୍ଷାର ନୂଆ ଅଧ୍ୟାୟ।
ଚର୍ଚ୍ଚା tv












