ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି ।
BY-Subhasmita DT-12.8.2026
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଯୁବପିଢ଼ି, ବିଶେଷକରି ‘ଜେନ୍ ଜି’ଙ୍କୁ ସୋସିଆଲ ମିଡିଆର ଚକଚକି ଓ ତୁରନ୍ତ ସଫଳତାର ମୋହରୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ରିଲ୍ ଓ ଇନଫ୍ଲୁଏନ୍ସରଙ୍କ ପଛରେ ଦୌଡ଼ିବା ବଦଳରେ ଯୁବପିଢ଼ି ନିଜର ଭବିଷ୍ୟତ ଗଢ଼ିବା ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ‘ଟ୍ରାଏମ୍ଫ ଅଫ୍ ଦି ଇଣ୍ଡିଆନ୍ ରିପବ୍ଲିକ୍: ମାଇ ଲାଇଫ୍, ମାଇ ଷ୍ଟ୍ରଗଲ୍ସ’ର ଉନ୍ମୋଚନ ଅବସରରେ ମୋଦୀ ଯୁବପିଢ଼ିଙ୍କୁ ଏହି ପରାମର୍ଶ ଦେଇଥିଲେ।
ମୋଦୀ କହିଥିଲେ, ଜୀବନରେ ସଫଳତା ପାଇବା ପାଇଁ ସର୍ଟକଟ୍ର ପଥ ବାଛିବା ଉଚିତ ନୁହେଁ। ରେଳ ଷ୍ଟେସନରେ କିଛି ଲୋକ ପାଦଚଲା ପୋଲ ବ୍ୟବହାର ନକରି ରେଳ ଧାରଣା ପାର ହୋଇ ସର୍ଟକଟ୍ ନେବାକୁ ଚେଷ୍ଟା କରନ୍ତି। କିନ୍ତୁ ଏପରି ସର୍ଟକଟ୍ ବିପଦକୁ ଡାକି ଆଣିପାରେ। ସେହିପରି ଜୀବନରେ ମଧ୍ୟ ତୁରନ୍ତ ସଫଳତା ପାଇବାର ଲୋଭ ଯୁବପିଢ଼ିଙ୍କୁ ଭୁଲ୍ ରାସ୍ତାରେ ନେଇପାରେ।
ପ୍ରଧାନମନ୍ତ୍ରୀ ଯୁବପିଢ଼ିଙ୍କୁ ଭଲ ପୁସ୍ତକ ଓ ମହାନ ବ୍ୟକ୍ତିତ୍ୱଙ୍କ ଆତ୍ମଜୀବନୀ ପଢ଼ିବାକୁ ମଧ୍ୟ ଆହ୍ୱାନ କରିଛନ୍ତି। ରାମନାଥ କୋବିନ୍ଦଙ୍କ ଜୀବନ ସଂଘର୍ଷ, ସଚ୍ଚୋଟତା, ମୂଲ୍ୟବୋଧ ଓ ଦେଶସେବାରୁ ଯୁବପିଢ଼ି ଅନେକ କିଛି ଶିଖିପାରିବେ ବୋଲି ସେ କହିଛନ୍ତି।
ମୋଦୀଙ୍କ ବାର୍ତ୍ତାର ମୂଳ କଥା ହେଉଛିସୋସିଆଲ ମିଡିଆରେ ଲୋକପ୍ରିୟ ହେବା ଠାରୁ ବାସ୍ତବ ଜୀବନରେ ନିଜର ପରିଚୟ ତିଆରି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ରିଲ୍ର କିଛି ସେକେଣ୍ଡର ଚମକ ନୁହେଁ, ବରଂ ଦୀର୍ଘ ପରିଶ୍ରମ, ଶୃଙ୍ଖଳା ଓ ମୂଲ୍ୟବୋଧ ହିଁ ଜୀବନର ପ୍ରକୃତ ସଫଳତାର ଆଧାର ।
ଚର୍ଚ୍ଚା tv












