ସରକାରୀ ନିୟମାବଳୀ ଅନୁସାରେ ଯାହାର ଯେତିକି କ୍ଷତି ହୋଇଛି, ସେହି ଅନୁପାତରେ କ୍ଷତିପୂରଣ ଦିଆଯିବ । କୌଣସି ପ୍ରଭାବିତ ବ୍ୟକ୍ତି ସହାୟତାରୁ ବଞ୍ଚିତ ହୋଇଥିଲେ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଜଣାଇପାରିବେ।
ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଓ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଆଗକୁ ପୁଣି ବର୍ଷା ଓ ଲଘୁଚାପର ସମ୍ଭାବନା ଥିବାରୁ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ଗତ ୧୫ ଦିନ ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁଯାୟୀ, ୨୪ ଜିଲ୍ଲାର ୧୫୪ଟି ବ୍ଲକ୍ ଅଧୀନରେ ୮୭୯ଟି ଗ୍ରାମ ପଞ୍ଚାୟତ ଏବଂ ୨,୮୫୫ଟି ଗାଁ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି । ସହରାଞ୍ଚଳର ୨୦୯ଟି ୱାର୍ଡରେ ପ୍ରାୟ ୧୩ ଲକ୍ଷ ୭୧ ହଜାର ୩୩୮ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ୩୬୬ଟି ଗାଁରୁ ପର୍ଯ୍ୟାୟକ୍ରମେ ୭ ଲକ୍ଷ ୨୨ ହଜାର ୭୩୨ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୭୮୩ଟି ରିଲିଫ୍ କ୍ୟାମ୍ପ ଖୋଲାଯାଇଥିବା ବେଳେ ଏଠାରେ ୭ ଲକ୍ଷ ୨୬ ହଜାର ୪୪୧ ଜଣ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ୩୧ଟି ସ୍ଥାନରେ ପଶୁସମ୍ପଦକୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।
ବନ୍ୟା ପ୍ରଭାବିତଙ୍କୁ ୯୦.୫ କ୍ୱିଣ୍ଟାଲ ଚାଉଳ, ୩୫୬.୩ କିଲୋଗ୍ରାମ ଗୁଡ଼ ଏବଂ ୮,୭୦୮ଟି ପଲିଥିନ ଯୋଗାଇ ଦିଆଯାଇଛି । ବିଭିନ୍ନ ଜିଲ୍ଲାକୁ ରିଲିଫ୍ କାର୍ଯ୍ୟ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିବା ବେଳେ ଆଉ ୨୬ କୋଟି ଟଙ୍କାର ଅତିରିକ୍ତ ସହାୟତା ଯୋଗାଇ ଦିଆଯାଇଛି । ଏପର୍ଯ୍ୟନ୍ତ ୭୯ ହଜାର ୮୨୪ ହେକ୍ଟର ଚାଷ ଜମି ଏବଂ ୫,୦୪୪ଟି ଘର କ୍ଷତିଗ୍ରସ୍ତ ହୋଇଥିବା ଆକଳନ କରାଯାଇଛି। କିଛି ଜିଲ୍ଲାରୁ ପୂର୍ଣ୍ଣାଙ୍ଗ କ୍ଷୟକ୍ଷତି ରିପୋର୍ଟ ଆସିଥିବା ବେଳେ ଅନ୍ୟ ଜିଲ୍ଲାର ରିପୋର୍ଟ ଆସିବା ପରେ ମୋଟ କ୍ଷୟକ୍ଷତିର ଚିତ୍ର ସ୍ପଷ୍ଟ ହେବ ।
ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା
ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସ୍ୱଳ୍ପ ମିଆଦି ଧାନ ବିହନ ଯୋଗାଇ ଦିଆଯିବ । ପନିପରିବା ଚାଷୀଙ୍କୁ ମଧ୍ୟ ଅତିରିକ୍ତ ସହାୟତା ଦିଆଯିବ । କୃଷି, ସମବାୟ ଏବଂ ପଶୁସମ୍ପଦ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଡାଟାବେସ୍ ପ୍ରସ୍ତୁତି କାମ ଚାଲିଛି । ସରକାରୀ ନିୟମାବଳୀ ଅନୁସାରେ ଯାହାର ଯେତିକି କ୍ଷତି ହୋଇଛି, ସେହି ଅନୁପାତରେ କ୍ଷତିପୂରଣ ଦିଆଯିବ । କୌଣସି ପ୍ରଭାବିତ ବ୍ୟକ୍ତି ସହାୟତାରୁ ବଞ୍ଚିତ ହୋଇଥିଲେ ନିକଟସ୍ଥ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ୍ କାର୍ଯ୍ୟାଳୟରେ ଜଣାଇପାରିବେ।
କେନ୍ଦ୍ରୀୟ ଟିମ୍ ଆସିବାର ଯୋଜନା ନାହିଁ
ବର୍ତ୍ତମାନ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ କୌଣସି କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବାର ଯୋଜନା ନାହିଁ । ଆବଶ୍ୟକ ପଡ଼ିଲେ କେନ୍ଦ୍ର ସରକାରଙ୍କୁ ଅଧିକ ସହାୟତା ମଗାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ କହିଛନ୍ତି । କୃଷି ବିଭାଗର କ୍ଷୟକ୍ଷତି ଓ ଚାଷୀଙ୍କୁ ସହାୟତା ନେଇ ଆଜି କ୍ୟାବିନେଟ୍ରେ ଆଲୋଚନା ହେବ । ସମ୍ପୂର୍ଣ୍ଣ କ୍ଷୟକ୍ଷତି ଆକଳନ ପରେ ହିଁ ରାଜ୍ୟର ମୋଟ କ୍ଷତିର ପରିମାଣ ସ୍ପଷ୍ଟ ହେବ ।
ଚର୍ଚ୍ଚା tv












