ଉଦଳା – (ରାଜୀବ କୁମାର ବେହେରା )- ଉଦଳା ଶାଳମୁଣ୍ଡଳୀ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଶାଳ ଜଙ୍ଗଲ। ଦେଖିଦେଖି ନିଆଁ ଭୟାବହ ରୂପ ଧାରଣ କରି ଗ୍ରାମ ଆଡକୁ ବିପଦ ସୃଷ୍ଟି କଲା। ଆତଙ୍କିତ ହେଲେ ଗ୍ରାମବାସୀ।
ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅଧୀନ ବହୁବନ୍ଧ ଗ୍ରାମ ପଞ୍ଚାୟତର ଶାଳମୁଣ୍ଡଳୀ ଗ୍ରାମରେ।
ଗ୍ରାମ ନିକଟରେ ଥିବା ସଂରକ୍ଷିତ ଶାଳ ଜଙ୍ଗଲରେ ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ବଢୁଥିବା ତାପମାତ୍ରା ଓ ଶୁଷ୍କ ପରିସ୍ଥିତି କାରଣରୁ ନିଆଁ ଦ୍ରୁତ ଭାବେ ପ୍ରସାରିତ ହୋଇଥିଲା।
ଦୂରଦୂରନ୍ତ ପର୍ଯ୍ୟନ୍ତ ନିଆଁର ପ୍ରକୋପ ଓ ଧୂଆଁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ସ୍ଥାନୀୟ ସ୍ବେଛାସେବୀ ଯୁବକମାନେ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ।
ଖବର ପାଇ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଧରି ପରିଶ୍ରମ କରି ନିଆଁକୁ ନିୟନ୍ତ୍ରଣ କରିଥିଲେ। ସ୍ଥାନୀୟ ଗ୍ରାମବାସୀମାନେ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥିବା ଜଣାପଡ଼ିଛି।
ଏହି ଅଗ୍ନିକାଣ୍ଡରେ ଜଙ୍ଗଲର ବ୍ୟାପକ କ୍ଷତି ଘଟିଥିବା ଅନୁମାନ ରହିଛି। ବନ୍ୟପ୍ରାଣୀ ଓ ପରିବେଶ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି। ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଅଜଣା ରହିଛି, କିଛି ଦୁର୍ବୁତ୍ତଙ୍କ ହାତ ଥିବା ସନ୍ଦେହ କରାଯାଉଛି।
ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏପରି ଅଗ୍ନିକାଣ୍ଡ ରୋକିବାକୁ ପ୍ରତିରୋଧମୂଳକ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
ଜଙ୍ଗଲ ରହିଲେ ଆମେ ରହିବୁ… ପ୍ରକୃତି ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ରହିବାର ଆହ୍ୱାନ।
ହୁତୁହୁତୁ ହୋଇ ଜଳିଲା ଶାଳ ମୁଣ୍ଡଳୀ ଗ୍ରାମ ନିକଟରେ ଥିବା ସଂରକ୍ଷିତ ଶାଳ ଜଙ୍ଗଲ, ନିଁଆଁ କୁ ଆୟତ୍ତ କଲା ଅଗ୍ନିଶମ ବାହିନୀ..
By Charcha News












