ଉଦଳା – (ରାଜୀବ କୁମାର ବେହେରା): ମୟୂରଭଞ୍ଜ ଜିଲ୍ଲାର ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ୱାର୍ଡ ଅନ୍ତର୍ଗତ ରେଭିନିଉ କଲୋନୀ ନିକଟରେ ଘଟିଛି ଏକ ବଡ ଅଘଟଣ । ଉଚ୍ଚତା ବିଶିଷ୍ଟ ପାଣି ଟାଙ୍କି ସଫା କାମ କରିବାକୁ ବାଲେଶ୍ୱର ଅଞ୍ଚଳରୁ ଆସିଥିବା ୪ ଜଣ ଯୁବକ ହଠାତ୍ ମହୁମାଛି ଆକ୍ରମଣରେ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଯୁବକମାନେ ଟାଙ୍କି ଉପରକୁ ଚଢ଼ି ସଫା କାମ କରୁଥିବା ସମୟରେ ତଳେ ଥିବା ମହୁମାଛି ବସା ବିଚଳିତ ହୋଇଯାଇଥିଲା। ଏହା ପରେ କିଛି ମୁହୂର୍ତ୍ତ ମଧ୍ୟରେ ମହୁମାଛି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୩ ଜଣ ଯୁବକ ଗୁରୁତର ଆହତ ହୋଇଥିବା ବେଳେ, ଅନ୍ୟ ଜଣେ ଯୁବକ ପ୍ରାଣ ବଞ୍ଚାଇବା ପାଇଁ ପାଣି ଟାଙ୍କି ଭିତରକୁ ପସି ଲୁଚି ରହିଥିଲେ।
ଘଟଣାର ସୂଚନା ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରେ ଅଟକିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତଙ୍କୁ ଉଦଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ, ସେମାନଙ୍କ ଚିକିତ୍ସା ଜାରି ରହିଛି ଓ କିଛି ଯୁବକ ଙ୍କ ଅବସ୍ଥା ଏବେବି ଗୁରୁତର ରହିଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଉଚ୍ଚ ସ୍ଥାନରେ କାମ କରିବା ସମୟରେ ସତର୍କତା ଓ ସୁରକ୍ଷା ବ୍ୟବସ୍ଥାର ଅଭାବ ପୁଣିଥରେ ପ୍ରଶ୍ନରେ ପଡ଼ିଛି।
ଉଦଳାରେ ମହୁମାଛି ଆତଙ୍କ, ୪ ଯୁବକ ଗୁରୁତର
By Charcha News












