BY-ରାଜୀବ କୁମାର ବେହେରା-DT-29.3.2026
ଉଦଳା :DT- 29.3.2026::, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବନଖଣ୍ଡ ଅଧୀନ ତାଳଗଡି ଗ୍ରାମରେ ଭାଲୁ ଆକ୍ରମଣରେ ତିନିଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ଖବର ମିଳିଛି।
ସୂଚନା ଅନୁଯାୟୀ, ଗ୍ରାମର କିଛି ଲୋକ ସକାଳ ସମୟରେ ଗାଧୋଇବା ଓ ଶୌଚ କାର୍ଯ୍ୟ ପାଇଁ ପାଖରେ ଥିବା ନଦୀ ଦିଗକୁ ଯାଉଥିବା ବେଳେ ଜଙ୍ଗଲ ନିକଟରୁ ହଠାତ୍ ବାହାରିଥିବା ଭାଲୁ ଆକ୍ରମଣ କରିଥିଲା। ଏହି ଅଚମ୍କା ଆକ୍ରମଣରେ ବୃଦ୍ଧା ରାନୀ ନାୟକ, ସୁମନ୍ତ ଖଣ୍ଡେଇ ଓ କମଳା କାନ୍ତ ନାୟକ ଗୁରୁତର ଭାବେ ଆହତ ହୋଇଛନ୍ତି।
ସ୍ଥାନୀୟମାନଙ୍କ କହିବା ଅନୁଯାୟୀ, ଭାଲୁ ଆକ୍ରମଣ କରି ତିନି ଜଣକୁ ଘାଇଲା କରିଛି। ଆହତମାନଙ୍କ ମୁହଁ, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।
ଗୁରୁତର ଅବସ୍ଥାରେ ଥିବା ଜଣକୁ ତୁରନ୍ତ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବାବେଳେ, ଅନ୍ୟ ଦୁଇଜଣଙ୍କୁ ଉଦଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ଅନୁସାରେ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି।
ଘଟଣା ପରେ ଗ୍ରାମ ଓ ଆସପାସ ଅଞ୍ଚଳରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି। ବନ ବିଭାଗକୁ ଏନେଇ ସୂଚନା ଦିଆଯାଇଥିବା ବେଳେ, ଭାଲୁର ଚଳଚଳନ ଉପରେ ନଜର ରଖାଯାଉଛି ବୋଲି ଜଣାପଡ଼ିଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ଜଙ୍ଗଲ ନିକଟକୁ ଏକାକୀ ଯିବାରୁ ବିରତ ରହିବା ସହିତ ସକାଳ ଓ ସନ୍ଧ୍ୟାବେଳେ ବିଶେଷ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ଚର୍ଚ୍ଚା News












