କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି।
BY-SUBHASMITA- DT-3.4.2026 ::
ଭୁବନେଶ୍ବର: DT-3.4.2026 ::କଳିଙ୍ଗ ଷ୍ଟୁଡିଓର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯେକୌଣସି ସମୟରେ ଏହାର ଉଦ୍ଘାଟନ ହୋଇପାରେ। ହେଲେ ୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓରୁ ରାଜ୍ୟ ସରକାର କିଛି ଲାଭ ପାଇବେ ନାହିଁ ବୋଲି ଆଶଙ୍କା ସୃଷ୍ଟି ହେଲାଣି। କାରଣ ଆସନ୍ତା ୨ ବର୍ଷ ପାଇଁ ଇଡ୍କୋ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥା ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ୍’କୁ ଟେକି ଦେଇଛି। ଅର୍ଥାତ୍ କଳିଙ୍ଗ ଷ୍ଟୁଡିଓ ଉଦ୍ଘାଟନ ପରେ ଏହାର ରକ୍ଷଣାବେକ୍ଷଣା ଦାୟିତ୍ବ ନେବ ଏହି ଘରୋଇ ସଂସ୍ଥା। ଏଥିପାଇଁ ‘ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍ଡିସି)’ ଦୁଇ ବର୍ଷ ପାଇଁ ପାଖାପାଖି ୮ କୋଟି ଟଙ୍କା ଖର୍ଚ୍ଚ କରିବ।
ସୂଚନା ଅନୁଯାୟୀ, କଳିଙ୍ଗ ଷ୍ଟୁଡିଓର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ସରକାର ବହନ କରିବେ ନାହିଁ। ବରଂ ଦୁଇ ବର୍ଷ ନିମନ୍ତେ ଏହି ଠିକା ସଂସ୍ଥାକୁ ଏଥିପାଇଁ ନିୟୋଜିତ କରାଯାଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସଂପୃକ୍ତ ସଂସ୍ଥାକୁ ପ୍ରାୟ ୬ କୋଟି ୯୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଜିଏସ୍ଟି ବାବଦ ଅତିରିକ୍ତ ଅର୍ଥ ପ୍ରାୟ ୧ କୋଟି ଟଙ୍କା ମଧ୍ୟ ସରକାର ବହନ କରିବେ। ଇତିମଧ୍ୟରେ ଟେଣ୍ଡର ପ୍ରକ୍ରିୟା ସଂପନ୍ନ ହୋଇଯାଇଛି। ‘ଇଡ୍କୋ’ ପକ୍ଷରୁ ମୁଖ୍ୟ ମହାପ୍ରବନ୍ଧକ, (ସିଭିଲ୍)ଙ୍କ ସ୍ୱାକ୍ଷରରେ ୩୧.୧୨.୨୫ରେ ଟେଣ୍ଡର ଆହ୍ବାନ କରାଯାଇଥିଲା। ଟେଣ୍ଡର ପ୍ରକ୍ରିୟାର ସ୍ବଚ୍ଛତାକୁ ନେଇ ବିଭିନ୍ନ ମହଲରେ ଆପତ୍ତି ଉଠିଲାଣି। ଅଭିଯୋଗ ହୋଇଛି ଯେ ଏହି ଟେଣ୍ଡର ପ୍ରକ୍ରିିୟା ପାଇଁ ‘ଇଡ୍କୋ’ର ପରିଚାଳନା ନିର୍ଦ୍ଦେଶକ ବା ଅଧ୍ୟକ୍ଷଙ୍କ ମଞ୍ଜୁରି ନିଆଯାଇନାହିଁ କି ଏଥିପାଇଁ ସରକାରଙ୍କ ପକ୍ଷରୁ ‘ଇଡ୍କୋ’କୁ ଅଧିକୃତ ମଧ୍ୟ କରାଯାଇନାହିଁ। କଳିଙ୍ଗ ଷ୍ଟୁଡିଓର ସତ୍ତ୍ୱାଧିକାରୀ ଓଏଫ୍ଡିସିକୁ ମଧ୍ୟ ଟେଣ୍ଡର ସମ୍ବନ୍ଧିତ ସୂଚନା ପ୍ରଦାନ କରାଯାଇ ନାହିଁ। ୨୦୨୫ ଡିସେମ୍ବର ୧୨ରେ ଟେଣ୍ଡରରେ ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍’ ଦ୍ୱାରା ପ୍ରଦତ୍ତ ବୈଷୟିକ ପ୍ରତିବେଦନ ବେଳେ ଓଏଫ୍ଡିସିକୁ ସଂପୃକ୍ତ କରାନଯିବା ଏହି ଟେଣ୍ଡର ପ୍ରକ୍ରିୟାର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି।
‘କଳିଙ୍ଗ ଷ୍ଟୁଡିଓ’ର ରକ୍ଷଣାବେକ୍ଷଣ ପାଇଁ ‘ଯାତ୍ରୀ କର୍ପୋରେଟ୍ ସର୍ଭିସ୍’ ମନୋନୀତ ହୋଇଛି ଏବଂ ଷ୍ଟୁଡିଓର ଆୟ ଅସୁଲ କରି ସଂପୃକ୍ତ ସଂସ୍ଥା ସରକାରଙ୍କୁ ପ୍ରଦାନ କରିବ। ଏହି ପ୍ରକ୍ରିୟାରେ ଅର୍ଥ ବାଟମାରଣା ଏବଂ କଳିଙ୍ଗ ଷ୍ଟୁଡିଓର ସଂପୂର୍ଣ୍ଣ ଦାୟିତ୍ୱ ସଂପୃକ୍ତ ଠିକା ସଂସ୍ଥା ପାଖକୁ ଚାଲିଯିବାର ଆଶଙ୍କା ରହିଛି। ଅର୍ଥାତ୍ ଓଏଫ୍ଡିସି ୮ କୋଟି ଟଙ୍କା ଖର୍ଚ୍ଚ କରିବ, କିନ୍ତୁ ଲାଭ ନେବ ଠିକା ସଂସ୍ଥା। ୨ ବର୍ଷକୁ ୮ କୋଟି ହିସାବରେ ଷ୍ଟୁଡିଓର ରକ୍ଷଣାବେକ୍ଷଣା ପାଇଁ ଓଏଫ୍ଡିସି ମାସକୁ ଖର୍ଚ୍ଚ କରିବ ୨୮.୭୫ ଲକ୍ଷ ଟଙ୍କା। ବର୍ତ୍ତମାନ କଳିଙ୍ଗ ଷ୍ଟୁଡିଓ ଖୋଲିନି, କିନ୍ତୁ ମାସକୁ ଆସୁଛି ପାଖାପାଖି ୪ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍। ଷ୍ଟୁଡିଓ ଖୋଲିବା ପରେ ମାସକୁ ବିଦ୍ୟୁତ୍ ବିଲ୍ ୨୫ ଲକ୍ଷ ଟଙ୍କାରୁ ଅଧିକ ଆସିବ ବୋଲି ଆକଳନ କରାଯାଉଛି, ଯାହା ଓଏଫ୍ଡିସି ହିଁ ବହନ କରିବ। ଅର୍ଥାତ୍ କଳିଙ୍ଗ ଷ୍ଟୁଡିଓ ପାଇଁ ମାସକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଓଏଫ୍ଡିସି ଖର୍ଚ୍ଚ କରିବ। ଯଦି କଳିଙ୍ଗ ଷ୍ଟୁଡିଓ ମାସକୁ ୧ କୋଟି ଟଙ୍କାର ଆୟ ନ କରେ, ତେବେ ଷ୍ଟୁଡିଓ ନବୀକରଣର ମୂଳ ଲକ୍ଷ୍ୟ ଚରିତାର୍ଥ ହେବ ନାହିଁ। ଏହି ପ୍ରକ୍ରିୟାକୁ ତୁରନ୍ତ ବାତିଲ୍ କରାନଗଲେ କଳିଙ୍ଗ ଷ୍ଟୁଡିଓ ନବୀକରଣ ଓ ପୁନଃକ୍ଷମ ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି ସନ୍ଦେହ ପ୍ରକାଶ ପାଉଛି। ଯଦି ଏହି ଆଶଙ୍କା ସତ୍ୟ ହୁଏ ତେବେ କଳିଙ୍ଗ ଷ୍ଟୁଡିଓର ରାଜସ୍ୱ ରୋଜଗାର ତୁଳନାରେ ଠିକା ସଂସ୍ଥାକୁ ପ୍ରଦାନ କରାଯିବାକୁ ଥିବା ରକ୍ଷଣାବେକ୍ଷଣ ଖର୍ଚ୍ଚ ଗୁରୁତର ଭାବରେ ଅସନ୍ତୁଳିତ ହେବା ନେଇ ଆଶଙ୍କା ଦେଖାଦେଇଛି। ଏନେଇ ଓଏଫ୍ଡିସି ପକ୍ଷରୁ କୁହାଯାଇଛି, ବୈଷୟିକ ଟିମ୍ ଓ ମାନବ ସମ୍ବଳର ଅଭାବ ଯୋଗୁଁ ସେମାନେ ଇଡ୍କୋ ଉପରେ ନିର୍ଭରଶୀଳ। ଏଣୁ ଟେଣ୍ଡର ପ୍ରକ୍ରିୟାରେ ଇଡ୍କୋର ବୈଷୟିକ ଟିମ୍ ସାମିଲ ରହିଥିଲେ।
ଚର୍ଚ୍ଚା NEWS












