BY–Ghasiram Behera
ମାଛ ଧରିବା ଖୁସି ଶେଷରେ ପାଲଟିଲା ମରଣ ଯନ୍ତା। ପାଟିରେ ଜୀବନ୍ତ କଉ ମାଛ ପଶିଯିବାରୁ ଚାଲିଗଲା ଯୁବକଙ୍କ ଜୀବନ। ତେବେ ଏହି ଘଟଣାରେ ଏବେ ଡାକ୍ତରଙ୍କ ଅବହେଳାକୁ ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଦିଘି ଗ୍ରାମର ଅବିନାଶ ବିଜୁଳିଙ୍କ ମୃତ୍ୟୁକୁନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନ୍ଧରେ ମାଛ ଧରିବା ସମୟରେ ଏକ ଜୀବନ୍ତ ‘କଉ ‘ ମାଛକୁ ପାଟିରେ କାମୁଡ଼ି ମାରିବାକୁ ଚେଷ୍ଟା କରୁଥିଲେ ଅବିନାଶ। ହେଲେ ଅସାବଧାନତା ବଶତଃ ମାଛଟି ତାଙ୍କ ପାଟି ଭିତରକୁ ଗଳି ପଡ଼ିଥିଲା ଏବଂ ଶ୍ୱାସନଳୀରେ ଅଟକି ଯାଇଥିଲା। ଗୁରୁତର ଅବସ୍ଥାରେ ଅବିନାଶଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ବିରୋଧରେ ଆସିଛି ଚରମ ଅବହେଳାର ଅଭିଯୋଗ। ମୃତକଙ୍କ ଦାଦା ତଥା ଦିଘି ଗ୍ରାମର ପୂର୍ବତନ ସରପଞ୍ଚ ବଙ୍କିମ ଚନ୍ଦ୍ର ବିଜୁଳିଙ୍କ କହିବା ଅନୁସାରେ ବାରମ୍ବାର ଅନୁରୋଧ ସତ୍ତ୍ୱେ ଡାକ୍ତର ରୋଗୀଙ୍କ ପାଖକୁ ଆସିନଥିଲେ। କେବଳ ସେତିକି ନୁହେଁ, ଡାକ୍ତର ଜଣକ ଅସୌଜନ୍ୟମୂଳକ ବ୍ୟବହାର କରିବା ସହ ଜାତିଗତ ଆକ୍ଷେପ କରିଥିବା ମଧ୍ୟ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଚିକିତ୍ସା କରିବା ପରିବର୍ତ୍ତେ ତୁରନ୍ତ ବାରିପଦା ରେଫର କରିଦେଇଥିଲେ ଡାକ୍ତର। ଯେଉଁଥିପାଇଁ ଠିକ ସମୟରେ ଚିକିତ୍ସା ନପାଇ ଅବିନାଶଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।
ଚର୍ଚ୍ଚା news












