OPTCL ଶ୍ରମିକ କର୍ମଚାରୀ ସଂଘର ୮ମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ l ଭୁବନେଶ୍ୱରସ୍ଥିତ ରେଡକ୍ରସ୍ ଭବନଠାରେ OPTCL ଶ୍ରମିକ କର୍ମଚାରୀ ସଂଘର ୮ମ ବାର୍ଷିକ ସମ୍ମିଳନୀ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ବଦ୍ରି ନାରାୟଣ ଧଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମଚାରୀଙ୍କ ସମସ୍ୟା ଓ ସଂଘର ଆଭିମୁଖ୍ୟ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ସମ୍ମିଳନୀରେ OERC ର ନୂତନ ଟାରିଫ୍ ଅର୍ଡର ଯୋଗୁଁ କର୍ମଚାରୀଙ୍କ ଭବିଷ୍ୟତ ଉପରେ ପଡ଼ୁଥିବା ନକାରାତ୍ମକ ପ୍ରଭାବ ନେଇ ଆଲୋଚନା ହେଇଥିଲା । ସଂଘ ପକ୍ଷରୁ କ୍ୟାଡର ରିଷ୍ଟ୍ରକଚରିଂ, ପଦୋନ୍ନତିରେ ୫୦% ସଂରକ୍ଷଣ, ₹୩୩୦୦ ଗ୍ରେଡ୍ ପେ ଉଚ୍ଛେଦ ଏବଂ ନୂତନ ନିଯୁକ୍ତି ପାଇଁ ଦାବି ହୋଇଛି। ଏହାସହ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ଝୁଲା ମ୍ୟାନ୍ ଓ ଟାୱାର କ୍ଲାଇମ୍ବରଙ୍କ ସୁରକ୍ଷା ପାଇଁ ୧ କୋଟି ଟଙ୍କାର ବୀମା ଏବଂ ଅତ୍ୟାଧୁନିକ ସୁରକ୍ଷା ଉପକରଣ ଯୋଗାଇ ଦେବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ୧୪ ଦଫା ଦାବିପତ୍ର ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।ଏହି ସମ୍ମିଳନୀରେ ବରିଷ୍ଠ ନେତା ବଦ୍ରି ନାରାୟଣ ଧଳ ଯୋଗଦେଇ କର୍ମଚାରୀଙ୍କ ଏହି ସମସ୍ତ ଦାବିକୁ ସମ୍ପୂର୍ଣ୍ଣ ଯଥାର୍ଥ ବୋଲି କହିଛନ୍ତି। ସେ କର୍ମଚାରୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଏହି ସମସ୍ତ ସମସ୍ୟା ଓ ଦାବିକୁ ସେ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଆଗାମୀ ଦିନରେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବେ। ସରକାରଙ୍କ ଜରିଆରେ ସମସ୍ତ ଦାବି ଯେପରି ଶୀଘ୍ର ପୂରଣ ହେବ, ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ଚର୍ଚ୍ଚା news












