ଇରାନର ରାଜଧାନୀ ତେହେରାନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଆଣ୍ଡିସେ ସହରର ଆର୍ଘାଭାନ୍ ସପିଂ ସେଣ୍ଟରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।
BY_SUBHASMITA_DT_6.5.2026
ଇରାନର ରାଜଧାନୀ ତେହେରାନ ନିକଟରେ ଥିବା ଆଣ୍ଡିସେ ସହରର ଆର୍ଘାଭାନ୍ ସପିଂ ସେଣ୍ଟରରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ସମଗ୍ର ଅଞ୍ଚଳକୁ ନଡ଼କାଇ ଦେଇଛି । ଏହି ଦୁର୍ଘଟଣାରେ ୮ ଜଣ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବାବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇ ଚିକିତ୍ସା ଆରମ୍ଭ କରାଯାଇଛି ।
ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମୟରେ ସପିଂ ସେଣ୍ଟର ଭିତରେ ବହୁ ଲୋକ ଉପସ୍ଥିତ ଥିଲେ । ହଠାତ୍ ନିଆଁ ବ୍ୟାପିଯାଇଥିବାରୁ ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ସମୟର ପ୍ରୟାସ ପରେ ନିଆଁକୁ ନିୟନ୍ତ୍ରଣକୁ ଆଣାଯାଇଥିଲା ।
ଟେଲିଭିଜନ ଫୁଟେଜରେ ବହୁମହଲା କୋଠାରୁ କଳା ଧୂଆଁର ବିଶାଳ କୁଣ୍ଡଳୀ ଉଠୁଥିବା ଦେଖାଯାଇଛି । ଅଗ୍ନିକାଣ୍ଡରେ ଅନେକ ଦୋକାନ ସହ ଭିତରେ ଥିବା ମୂଲ୍ୟବାନ ସାମଗ୍ରୀ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି ।
ଇରାନର ସରକାରୀ ଟେଲିଭିଜନ ଆଇଆର୍ଆଇବି ଅନୁଯାୟୀ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଘଟଣାର ତଦନ୍ତ ଚାଲିଥିବାବେଳେ କୌଣସି ବାହ୍ୟ ଆକ୍ରମଣ କିମ୍ବା ଷଡଯନ୍ତ୍ରର ସୂଚନା ମିଳିନାହିଁ । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛି ।
ଚର୍ଚ୍ଚା news












