କଟକ ଜଗତପୁର ଥାନାର ମାମଲା ସଂଖ୍ୟା ୧୯୦, ତାରିଖ ୧୮ ମାର୍ଚ୍ଚ ୨୦୨୬, ଧାରା ୩୦୪(୨)/୩(୫) ବିଏନଏସ ଅନୁଯାୟୀ ରୁଜୁ ହୋଇଥିବା ଏହି ଛିନ୍ତାଇ ଘଟଣାରେ ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ଏହି ମାମଲାର ତଦନ୍ତକାରୀ ଅଧିକାରୀ ଏଏସଆଇ ତପନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଜଗତପୁର ଥାନା ପୋଲିସ ଏକ ବୃହତ୍ ଚଢ଼ାଉ କରି ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସହିତ ଛିନ୍ତାଇ ହୋଇଥିବା ସୁନା ହାର ଓ ଅପରାଧରେ ବ୍ୟବହୃତ ଯାନବାହନ ଜବତ କରିଛି। ଅଭିଯୋଗ ଅନୁସାରେ, କଟକ ମଙ୍ଗଳାବାଗ ଥାନା ଅନ୍ତର୍ଗତ ମଝିସାହି ଅଞ୍ଚଳର ଲୀନାରାଣୀ ବେହେରା ୧୮ ମାର୍ଚ୍ଚ ସନ୍ଧ୍ୟା ୪ଟା ୪୨ ମିନିଟ ସମୟରେ ତାଙ୍କ ଘରୁ ଜଗତପୁର ଡେଲ୍ଟା କଲୋନୀ ଥିବା ମାଘର ଘରକୁ ଭାଇଁଙ୍କ ସହିତ ଯାଉଥିବାବେଳେ, ଜଗତପୁର ଆଇ.ବି. ରୋଡ଼ରେ କୃଷ୍ଣଗୋପାଳ ସ୍ୱୀଟ୍ସ ନିକଟରେ ଦୁଇଜଣ ଅଜଣା ଦୁର୍ବୃତ୍ତ ଏକ ଯାମାହା ଆର-୧୫ ବାଇକରେ ଆସି ତାଙ୍କ ଗଳାରୁ ପ୍ରାୟ ୧୫ ଗ୍ରାମ ଓଜନର ସୁନା ହାର ଛିନି ନେଇ ପଳାଇଯାଇଥିଲେ। ଏହି ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଲଗାତାର ସିସିଟିଭି ଯାଞ୍ଚ, ଦୁର୍ବୃତ୍ତମାନଙ୍କ ଗତିବିଧିର ବିଶ୍ଳେଷଣ ଓ ବିଭିନ୍ନ ସ୍ତରରୁ ମିଳିଥିବା ଗୁପ୍ତ ସୂଚନା ଆଧାରରେ ସେମାନଙ୍କ ବ୍ୟବହୃତ ଯାମାହା ଆର-୧୫ ବାଇକ ସନ୍ଦର୍ଭରେ ସୂତ୍ର ମିଳିଥିଲା। ପରେ ଜଗତପୁର ଥାନା ଆଇଆଇସି ଓ ଏସିପି ଜୋନ-୧ଙ୍କ ନିର୍ଦ୍ଦେଶନାରେ ତଦନ୍ତ ଦଳ ଚଢ଼ାଉ କରି କେଶରପୁର ଅଞ୍ଚଳର ସ୍କ୍ ୱାସିଫ ଅଲିଆସ୍ ତାଲିବ (୨୮), ଅଲି ଖାନ (୨୧) ଓ ସ୍କ୍ ବାବା ଆବାସ ଆଲି (୨୪)ଙ୍କୁ ଗିରଫ କରିଥିଲେ। ସେମାନଙ୍କ ଠାରୁ ମୋଟ ୪ଟି ସୁନା ହାର ଯାହାର ମୋଟ ଓଜନ ପ୍ରାୟ ୩୧.୩୬୦ ଗ୍ରାମ ଓ ଅପରାଧରେ ବ୍ୟବହୃତ ଓଡି-୦୨-ବିଏ-୯୭୨୨ ନମ୍ବରର ଏକ ଯାମାହା ଆର-୧୫ ବାଇକ ଜବତ କରାଯାଇଛି। ପୋଲିସ ତଦନ୍ତରେ ପ୍ରକାଶ ପାଇଛି ଯେ, ଗିରଫ ଅଭିଯୁକ୍ତମାନେ ପୂର୍ବରୁ ମଧ୍ୟ ବିଭିନ୍ନ ଥାନାରେ ଛିନ୍ତାଇ, ଚୋରି ଓ ଅନ୍ୟାନ୍ୟ ଗୁରୁତର ଅପରାଧରେ ଜଡିତ ଥିଲେ ଓ ସେମାନଙ୍କ ବିରୁଦ୍ଧରେ ଅନେକ ମାମଲା ରହିଛି। ବିଶେଷକରି ସ୍କ୍ ୱାସିଫ ଓ ଅଲି ଖାନଙ୍କ ବିରୁଦ୍ଧରେ ମଙ୍ଗଳାବାଗ, ବାରଙ୍ଗା, ଦରଘାବଜାର, ଚୌଦ୍ୱାର ଓ ସିଆରଆରଆଇ ଥାନାରେ ଗୁରୁତର ମାମଲା ରହିଥିବାବେଳେ, ସ୍କ୍ ବାବା ଆବାସ ଆଲିଙ୍କ ବିରୁଦ୍ଧରେ ମଧ୍ୟ ପୂର୍ବରୁ ମାମଲା ରହିଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଆଦାଲତରେ ପ୍ରସ୍ତୁତ କରି ଅଧିକ ତଦନ୍ତ ଜାରି ରଖିଛି ଓ ଏହି ଘଟଣା ସହିତ ଜଡିତ ଅନ୍ୟାନ୍ୟ ଅପରାଧର ସଂପୃକ୍ତତା ନେଇ ମଧ୍ୟ ଖୋଜଖବର ଚାଲିଛି ବୋଲି କଟକ ଡିସିପି ସୂଚନା ଦେଇଛନ୍ତି।
ପୋଲିସ ଗୁରୁତ୍ୱପୂର୍ଣ୍ଣ ସଫଳତା
By Charcha News












