BY-ରାଜୀବ କୁମାର ବେହେରା
ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଅଧୀନ ଖୁଣ୍ଟା ରେଞ୍ଜର କୁଶୋଳଦା ଗ୍ରାମରେ ଭୟଙ୍କର ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଏକ ବିରାଟକାୟ ବଣୁଆ ଭାଲୁ ଗାଁ ଭିତରକୁ ପଶି ଆସିଥିବା ବେଳେ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ଭାଲୁଟି ଘର ନିକଟସ୍ଥ ବୁଦାମୂଳରେ ଲୁଚି ରହିଥିବାରୁ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଥିଲେ। ଏପରିକି ଲୋକେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିବା ଦେଖାଯାଇଥିଲା।
ସୂଚନା ଅନୁଯାୟୀ, ସକାଳ ସମୟରେ ଜଣେ ମହିଳା ଶୌଚ ପାଇଁ ଘରୁ ବାହାରିଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ମହିଳାଙ୍କ ବାମ ଆଖି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଜଣେ ପୁରୁଷ ମଧ୍ୟ ଭାଲୁ ଆକ୍ରମଣରେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।
ଘଟଣା ପରେ ଉଦଳା ଓ ବାରିପଦା ବନବିଭାଗ ଅଧିକାରୀ, ଉଦ୍ଧାରକାରୀ ଦଳ ଏବଂ ପୋଲିସ ବାହିନୀ ଗ୍ରାମରେ ପହଞ୍ଚିଥିଲେ। ଲୋକମାନଙ୍କୁ ଭାଲୁ ନିକଟକୁ ନଯିବାକୁ ସଚେତନ କରିବା ସହ ଭାଲୁର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ବନବିଭାଗ ପକ୍ଷରୁ ଭାଲୁକୁ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି।
ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ବନବିଭାଗକୁ ତୁରନ୍ତ ପଦକ୍ଷେପ ନେଇ ଗ୍ରାମବାସୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଦାବି କରିଛନ୍ତି। ଆହତ ମହିଳାଙ୍କ ଶୀଘ୍ର ସୁସ୍ଥତା ପାଇଁ ଅଞ୍ଚଳବାସୀ ପ୍ରାର୍ଥନା କରୁଛନ୍ତି ।
ଚର୍ଚ୍ଚା news












