ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ବ୍ରହ୍ମପୁର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ଓ ହାତାହାତି ହୋଇଥିବା ବେଳେ ପୁଲିସ ଉଭୟ ପକ୍ଷର ୯ ଜଣଙ୍କୁ ଅଟକ ରଖିଛି।
ଛାତ୍ର ସଂସଦ ନିର୍ବାଚନ ଲାଗି ବିଗୁଲ ବାଜିବା ପରେ ଅଶାନ୍ତ ହୋଇପଡ଼ିଛି ବ୍ରହ୍ମପୁରର ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ। ନିର୍ବାଚନ ତାରିଖ ଘୋଷଣା ପରେ କ୍ୟାମ୍ପସରେ ଉତ୍ସାହ ବଢ଼ିଥିବା ବେଳେ ଏବେ ତାହା ଅଶାନ୍ତିର ରୂପ ନେଇଛି। ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ପରେ ହାତାହାତି ହୋଇଥିବା ଜଣାପଡ଼ିଛି ।
ଘଟଣାକୁ ନେଇ କ୍ୟାମ୍ପସରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ବ୍ରହ୍ମପୁର ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଛାତ୍ର ଗୋଷ୍ଠୀକୁ ଶାନ୍ତ କରିଥିଲା। ପରେ ଉଭୟ ଗୋଷ୍ଠୀର ୯ ଜଣ ଛାତ୍ରଙ୍କୁ ପୁଲିସ ଥାନାକୁ ନେଇ ଅଟକ ରଖିଥିବା ସୂଚନା ମିଳିଛି ।
ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ କ୍ୟାମ୍ପସରେ ରାଜନୈତିକ ଓ ଛାତ୍ର ଗତିବିଧି ବଢ଼ିଥିବା ବେଳେ ଏଭଳି ଘଟଣାକୁ ନେଇ ଚିନ୍ତା ବଢ଼ିଛି। ବର୍ତ୍ତମାନ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୁଲିସ ପକ୍ଷରୁ ନଜର ରଖାଯାଉଛି । ଅନ୍ୟପଟେ ଘଟଣାକୁ ନେଇ ଛାତ୍ରମାନେ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ଜଣାପଡ଼ିଛି ।
ନିର୍ବାଚନ ପରିପ୍ରେକ୍ଷୀରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସଜାଗ ହୋଇଛନ୍ତି। ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର କୁଳସଚିବ କହିଛନ୍ତି, ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ । ନିର୍ବାଚନ ପ୍ରକ୍ରିୟା ଯେପରି ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୁଏ, ସେଥିପାଇଁ ପୁଲିସ ଓ ବିଶ୍ୱବିଦ୍ୟାଳୟ ପ୍ରଶାସନ ସମନ୍ୱୟରେ କାମ କରିବେ ।
ଚର୍ଚ୍ଚା TV












