ଜନ୍ତରମନ୍ତରରେ ପ୍ରସ୍ତାବିତ ପ୍ରତିବାଦକୁ ନେଇ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ତିନି ଜଣ ନେତାଙ୍କୁ ପୁଲିସ ଅଟକ ରଖିଥିବା ଦଳ ଅଭିଯୋଗ କରିଛି ।
ଜନ୍ତରମନ୍ତରରେ ପ୍ରସ୍ତାବିତ ପ୍ରତିବାଦକୁ ନେଇ ଦିଲ୍ଲୀରେ ହଇଚଇ ସୃଷ୍ଟି ହୋଇଛି । ଦିଲ୍ଲୀରେ ପହଞ୍ଚିବା ପରେ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମେତ ତିନି ଜଣ ନେତାଙ୍କୁ ପୁଲିସ ଅଟକ ରଖିଥିବା ଦଳ ଅଭିଯୋଗ କରିଛି । ଅଭିଜିତଙ୍କ ସହ ସୌରଭ ଦାସ ଓ ଆଶୁତୋଷ ରାଙ୍କା ମଧ୍ୟ ଅଟକ ଥିବା ସିଜେପି ପକ୍ଷରୁ କୁହାଯାଇଛି ।
ଶନିବାର ମୁମ୍ବାଇରୁ ବିମାନ ଯୋଗେ ଦିଲ୍ଲୀ ଆସିଥିଲେ ଅଭିଜିତ । ତାଙ୍କ ବିମାନ ଆଇଜିଆଇ ବିମାନବନ୍ଦରରେ ଅବତରଣ କରିବା ପରେ ପୁଲିସ କର୍ମଚାରୀ ବିମାନ ଭିତରକୁ ଯାଇଥିଲେ । ଏହି ସମୟରେ ଅଭିଜିତଙ୍କୁ ଅଟକାଇବାକୁ ଉଦ୍ୟମ ହୋଇଥିଲା । ସେ ଗିରଫ ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ତେବେ ପୁଲିସ ପକ୍ଷରୁ ଏହା ଗିରଫଦାରୀ ନୁହେଁ, ସହଯୋଗ କରିବାକୁ କୁହାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି ।
ବିମାନ ଭିତରୁ ଗଣମାଧ୍ୟମକୁ ଅଭିଜିତ କହିଥିଲେ, “ମୁଁ ଡରିବା ଲୋକ ନୁହେଁ । ଆମେ ଗିରଫ ହେବା ପାଇଁ ହିଁ ଆସିଛୁ ।” ବିମାନବନ୍ଦରରେ ନେତାମାନଙ୍କୁ ଅଟକାଇବା ଘଟଣାକୁ ସିଜେପି ନିନ୍ଦା କରିଛି । ପ୍ରତିବାଦସ୍ଥଳକୁ ଯିବା ଏବଂ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନେତୃତ୍ୱ ନେବାରୁ ରୋକିବା ପାଇଁ ପୁଲିସ ଏଭଳି ପଦକ୍ଷେପ ନେଇଥିବା ଦଳ ଅଭିଯୋଗ କରିଛି । ଏହାକୁ ଯାତାୟାତର ସ୍ୱାଧୀନତାର ଉଲ୍ଲଂଘନ ବୋଲି ଦର୍ଶାଇ ତିନି ନେତାଙ୍କୁ ତୁରନ୍ତ ନିଃସର୍ତ୍ତ ମୁକ୍ତ କରିବାକୁ ଦାବି କରିଛି ।
ଗିରଫ ପୂର୍ବରୁ ପ୍ରତିକ୍ରିୟା ଦେଇ ଅଭିଜିତ କହିଥିଲେ, ତାଙ୍କୁ ଅଟକ କରାଯାଉ କିମ୍ବା ଗିରଫ କରାଯାଉ, ସେ ପ୍ରସ୍ତୁତ ଅଛନ୍ତି । ଏପରିକି UAPA କିମ୍ବା NSA ଲଗାଇଲେ ମଧ୍ୟ ସେ ପଛକୁ ହଟିବେ ନାହିଁ ବୋଲି କହିଥିଲେ । ସ୍ୱାଧୀନ ଓ ନିରପେକ୍ଷ ନିର୍ବାଚନ ସହ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ତାଙ୍କ ଲଢ଼େଇ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଥିଲେ । ଜନ୍ତରମନ୍ତରରେ ପ୍ରସ୍ତାବିତ ପ୍ରଦର୍ଶନ ପୂର୍ବରୁ ଏହି ଘଟଣାକୁ ନେଇ ରାଜଧାନୀରେ ଚର୍ଚ୍ଚା ଜୋର ଧରିଛି ।
ଚର୍ଚ୍ଚା TV












