by_subhasmita_10-10-2026
ପାଦରେ ଜୋତା ନାହିଁ… ଦେହରେ ଟ୍ରାକ୍ ସୁଟ୍ ନାହିଁ… ପିନ୍ଧିଛନ୍ତି ଘରେ ପିନ୍ଧୁଥିବା ଶାଢ଼ୀ। ହେଲେ ଆଖିରେ ରହିଛି ଅସୁମାରୀ ସ୍ୱପ୍ନ। ମନରେ ରହିଛି ଜିତିବାର ଜିଦ୍। ଆଉ ହୃଦୟରେ ରହିଛି ଦୁଇ ଛୋଟ ପିଲାଙ୍କ ଭବିଷ୍ୟତ ଗଢ଼ିବାର ସଂକଳ୍ପ।
ଏ କାହାଣୀ କୌଣସି ଧନୀ ଘରର ଝିଅଙ୍କ ସଫଳତାର କାହାଣୀ ନୁହେଁ। ଏ କାହାଣୀ ଜଣେ ସଂଘର୍ଷରତ ମାଆଙ୍କର। ଯିଏ ସ୍ୱାମୀଙ୍କୁ ହରାଇବା ପରେ ବି ହାର୍ ମାନିନାହାନ୍ତି। ଇଟାଭାଟିରେ ମଜୁରି କରି ପରିବାର ଚଳାଉଥିବା ଏହି ମହିଳା ଆଜି ନିଜ ସ୍ୱପ୍ନ ପୂରଣ ପାଇଁ ଖାଲି ପାଦରେ ଦୌଡ଼ିଛନ୍ତି ୧୬୦୦ ମିଟର।
ମାତ୍ର ୬ ମିନିଟ୍ରେ ଦୌଡ଼ ପୂରା କରି ସମସ୍ତଙ୍କୁ କରିଛନ୍ତି ଆଶ୍ଚର୍ଯ୍ୟ। ଆସନ୍ତୁ ଦେଖିବା, ଅଭାବ ଭିତରେ ସ୍ୱପ୍ନ ଦେଖିବାକୁ ସାହସ କରିଥିବା ଏହି ମାଆଙ୍କ ସଂଘର୍ଷର କାହାଣୀ।
କେହି ଦୌଡ଼ୁଛନ୍ତି ପଦକ ପାଇଁ… କେହି ଦୌଡ଼ୁଛନ୍ତି ନାଁ କମାଇବା ପାଇଁ… ହେଲେ ଏ ମାଆ ଦୌଡ଼ୁଛନ୍ତି ନିଜ ପିଲାଙ୍କ ଭବିଷ୍ୟତ ପାଇଁ!
ପାଦରେ ଜୋତା ନାହିଁ… ଦେହରେ ଖେଳ ପୋଷାକ ନାହିଁ… ପିନ୍ଧିଛନ୍ତି ଶାଢ଼ୀ। ହେଲେ ମନରେ ରହିଛି ଅସୀମ ସାହସ, ଆଉ ଆଖିରେ ରହିଛି ଦୁଇ ପିଲାଙ୍କୁ ଭଲ ଜୀବନ ଦେବାର ସ୍ୱପ୍ନ।
ଏ ହେଉଛନ୍ତି ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାର ସୋସୋ ଗାଁର ୨୭ ବର୍ଷୀୟା କବିତା କୁମାରୀ।
ହୋମଗାର୍ଡ ନିଯୁକ୍ତି ପାଇଁ ଚାଲିଥିବା ଶାରୀରିକ ପରୀକ୍ଷାରେ କବିତା ଯେଉଁ ସାହସ ଦେଖାଇଛନ୍ତି, ତାହା ଆଜି ଅନେକଙ୍କୁ ପ୍ରେରଣା ଦେଇଛି। ନିର୍ଦ୍ଧାରିତ ୧୦ ମିନିଟ୍ ସମୟସୀମା ଥିବା ୧୬୦୦ ମିଟର ଦୌଡ଼କୁ ସେ ମାତ୍ର ୬ ମିନିଟ୍ରେ ପୂରା କରିଛନ୍ତି ବୋଲି ଏହି ଘଟଣା ସମ୍ପର୍କରେ ପ୍ରକାଶିତ ଖବରରେ କୁହାଯାଇଛି।
କିନ୍ତୁ ଏହି ୬ ମିନିଟ୍ର ସଫଳତା ପଛରେ ଲୁଚି ରହିଛି ଦୀର୍ଘ ଦିନର ସଂଘର୍ଷ, ଅଭାବ ଆଉ ଅନେକ ଅକୁହା ଯନ୍ତ୍ରଣା।
କବିତାଙ୍କ ଜୀବନରେ ଦିନେ ସବୁକିଛି ବଦଳିଗଲା। ଗୁଜରାଟରେ କାମ କରୁଥିବା ସ୍ୱାମୀ ଦୀପକ ମହତୋଙ୍କ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହେଲା। ସ୍ୱାମୀଙ୍କ ଚିକିତ୍ସାରେ ଯାହା କିଛି ସଞ୍ଚୟ ଥିଲା, ସବୁ ଖର୍ଚ୍ଚ ହୋଇଗଲା। ଆଖି ଆଗରେ ଅନ୍ଧାର ଦେଖାଗଲାକବିତାଙ୍କ ଜୀବନରେ ଦିନେ ସବୁକିଛି ବଦଳିଗଲା। ଗୁଜରାଟରେ କାମ କରୁଥିବା ସ୍ୱାମୀ ଦୀପକ ମହତୋଙ୍କ ଅସୁସ୍ଥତା ଯୋଗୁଁ ମୃତ୍ୟୁ ହେଲା। ସ୍ୱାମୀଙ୍କ ଚିକିତ୍ସାରେ ଯାହା କିଛି ସଞ୍ଚୟ ଥିଲା, ସବୁ ଖର୍ଚ୍ଚ ହୋଇଗଲା। ଆଖି ଆଗରେ ଅନ୍ଧାର ଦେଖାଗଲା, ହେଲେ ମୁଣ୍ଡ ଉପରେ ଥିଲା ଦୁଇ ଛୋଟ ପିଲାଙ୍କ ଦାୟିତ୍ୱ। ଶାଶୁ-ଶ୍ୱଶୁରଙ୍କ ଦାୟିତ୍ୱ ମଧ୍ୟ ତାଙ୍କ କାନ୍ଧରେ।
ପେଟକୁ ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା ପାଇଁ କବିତାଙ୍କୁ ଇଟାଭାଟିରେ ମଜୁରି କରିବାକୁ ପଡ଼େ। ଦିନସାରା ପରିଶ୍ରମ ପରେ ଶରୀର ଥକିଯାଏ, ହେଲେ ମନ ହାରେନାହିଁ।
କାରଣ ତାଙ୍କର ଗୋଟିଏ ସ୍ୱପ୍ନ ଅଛି… ଗୋଟିଏ ସ୍ଥାୟୀ ଚାକିରି। ଯେଉଁ ଚାକିରି ତାଙ୍କ ପିଲାଙ୍କୁ ଦେବ ଭଲ ଭବିଷ୍ୟତ, ପରିବାରକୁ ଦେବ ଆର୍ଥିକ ସୁରକ୍ଷା ଆଉ ତାଙ୍କୁ ଦେବ ନିଜ ଗୋଡ଼ରେ ଠିଆ ହେବାର ଶକ୍ତି।
ସେଥିପାଇଁ ଭୋର୍ରୁ ଉଠି ଦୌଡ଼ିବାର ଅଭ୍ୟାସ କରୁଥିଲେ କବିତା। ତା’ପରେ ଘର କାମ, ଆଉ ପରେ ମଜୁରି। ନିଜ ପାଇଁ ସମୟ କମ୍, ସୁବିଧା କମ୍, ସମ୍ବଳ କମ୍। ହେଲେ ସ୍ୱପ୍ନ ଦେଖିବାରେ କୌଣସି କମି ନାହିଁ।କାରଣ ତାଙ୍କର ଗୋଟିଏ ସ୍ୱପ୍ନ ଅଛି… ଗୋଟିଏ ସ୍ଥାୟୀ ଚାକିରି। ଯେଉଁ ଚାକିରି ତାଙ୍କ ପିଲାଙ୍କୁ ଦେବ ଭଲ ଭବିଷ୍ୟତ, ପରିବାରକୁ ଦେବ ଆର୍ଥିକ ସୁରକ୍ଷା ଆଉ ତାଙ୍କୁ ଦେବ ନିଜ ଗୋଡ଼ରେ ଠିଆ ହେବାର ଶକ୍ତି।
ସେଥିପାଇଁ ଭୋର୍ରୁ ଉଠି ଦୌଡ଼ିବାର ଅଭ୍ୟାସ କରୁଥିଲେ କବିତା। ତା’ପରେ ଘର କାମ, ଆଉ ପରେ ମଜୁରି। ନିଜ ପାଇଁ ସମୟ କମ୍, ସୁବିଧା କମ୍, ସମ୍ବଳ କମ୍। ହେଲେ ସ୍ୱପ୍ନ ଦେଖିବାରେ କୌଣସି କମି ନାହିଁ।
ଟ୍ରାକ୍ ସୁଟ୍ କିଣିବାକୁ ଟଙ୍କା ନାହିଁ… ଜୋତା କିଣିବାକୁ ସାମର୍ଥ୍ୟ ନାହିଁ… କିନ୍ତୁ ଚାକିରି ପାଇଁ ଥିବା ଇଚ୍ଛାଶକ୍ତିକୁ କିଏ ବା ଅଟକାଇପାରିବ?
ତେଣୁ ଶାଢ଼ୀ ପିନ୍ଧି, ଖାଲି ପାଦରେ ଦୌଡ଼ିଲେ କବିତା। ପାଦରେ କଷ୍ଟ ଥାଇପାରେ, ରାସ୍ତାରେ ବାଧା ଥାଇପାରେ, ହେଲେ ମନରେ ଥିବା ସଂକଳ୍ପ ଆଗରେ ସେସବୁ ହାର ମାନିଗଲା।
ଏ ଦୌଡ଼ କେବଳ ୧୬୦୦ ମିଟରର ନଥିଲା… ଏ ଦୌଡ଼ ଥିଲା ଦାରିଦ୍ର୍ୟ ବିରୋଧରେ। ଏ ଦୌଡ଼ ଥିଲା ଅସହାୟତା ବିରୋଧରେ। ଏ ଦୌଡ଼ ଥିଲା ଦୁଇ ପିଲାଙ୍କ ଭବିଷ୍ୟତ ପାଇଁ ଜଣେ ମାଆଙ୍କ ଲଢ଼େଇ।
କବିତାଙ୍କ କାହାଣୀ ଆମକୁ ଗୋଟିଏ କଥା ଶିଖାଏ। ଜୀବନରେ ସମସ୍ତଙ୍କୁ ସମାନ ସୁଯୋଗ ମିଳେନାହିଁ। କାହା ପାଖରେ ଭଲ ଜୋତା ଅଛି, ଭଲ ପୋଷାକ ଅଛି, ପ୍ରସ୍ତୁତି ପାଇଁ ସବୁ ସୁବିଧା ଅଛି। ଆଉ କାହା ପାଖରେ ଅଛି କେବଳ ଅଦମ୍ୟ ଇଚ୍ଛାଶକ୍ତି ଓ ଆଗକୁ ବଢ଼ିବାର ସାହସ।
କିନ୍ତୁ ଅଭାବ ଯେ ମଣିଷର ସ୍ୱପ୍ନକୁ ମାରିଦେଇପାରିବ, ତାହା ନୁହେଁ। କବିତା ଏହାର ଏକ ଉଦାହରଣ।
ହେଲେ ଏଠି ଆଉ ଏକ ପ୍ରଶ୍ନ ମଧ୍ୟ ଉଠୁଛି। ଯେଉଁ ମହିଳା ନିଜ ପରିବାର ପାଇଁ ଏତେ ବଡ଼ ସଂଘର୍ଷ କରୁଛନ୍ତି, ତାଙ୍କ ପରି ଆର୍ଥିକ ଅନଗ୍ରସର ପ୍ରାର୍ଥୀଙ୍କୁ ପ୍ରସ୍ତୁତି ପାଇଁ ଆବଶ୍ୟକ ସୁବିଧା ଓ ସହଯୋଗ ମିଳିପାରିବ ନାହିଁ କି?
ପ୍ରତିଭା ଅଛି, ପରିଶ୍ରମ ଅଛି, ଯୋଗ୍ୟତା ଅଛି। ଏବେ ଆବଶ୍ୟକ ହେଉଛି ଏଭଳି ସଂଘର୍ଷରତ ମହିଳାଙ୍କ ପାଖରେ ସହାୟତା ପହଞ୍ଚାଇବା, ଯାହାଦ୍ୱାରା ତାଙ୍କ ସଂଘର୍ଷ କେବଳ ଭାଇରାଲ୍ ଭିଡିଓରେ ସୀମିତ ନରହିଯାଏ।
ଜୋତା ନଥିଲା, ହେଲେ ସ୍ୱପ୍ନ ଥିଲା… ପରିସ୍ଥିତି ଦୁର୍ବଳ ଥିଲା, ହେଲେ ମନୋବଳ ଦୁର୍ବଳ ନଥିଲା… ସ୍ୱାମୀଙ୍କ ହାତ ମୁଣ୍ଡ ଉପରେ ନଥିଲା, ହେଲେ ଦୁଇ ପିଲାଙ୍କ ଭବିଷ୍ୟତ ଗଢ଼ିବାର ଦାୟିତ୍ୱ ଥିଲା।କାରଣ ସଫଳତା ପାଇଁ ସବୁବେଳେ ଦାମୀ ଜୋତା ଦରକାର ନୁହେଁ, ଦରକାର ହୁଏ ଦୃଢ଼ ସଂକଳ୍ପ।
କବିତାଙ୍କ ସ୍ୱପ୍ନ ସାକାର ହେଉ। ତାଙ୍କ ପିଲାଙ୍କ ମୁହଁରେ ହସ ଫୁଟୁ। ତାଙ୍କ ପରିବାରକୁ ସୁଖ ଓ ସୁରକ୍ଷା ମିଳୁ।
ସାବାସ୍ କବିତା! ତୁମର ଏହି ଦୌଡ଼ କେବଳ ଚାକିରି ପାଇଁ ନୁହେଁ… ଏହା ଲକ୍ଷ ଲକ୍ଷ ସଂଘର୍ଷରତ ମହିଳାଙ୍କ ସ୍ୱପ୍ନ ପାଇଁ ଏକ ପ୍ରେରଣା!
ଚର୍ଚ୍ଚା TV












