ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ୧୨୨ଟି ଟାୱାରକୁ ଆହୁରି ଅତ୍ୟାଧୁନିକ କରାଯିବ । ସେଥିମଧ୍ୟରୁ ୪୦ଟି ବଡ଼ ଟାୱାରରେ ସାଇରନ୍ ସିଷ୍ଟମ୍ ଲାଗିଥିବା ବେଳେ ଏବେ ସବୁ ଟାୱାରରେ କ୍ୟାମେରା ସହ ଅତ୍ୟାଧୁନିକ ସେନ୍ସର ଖଞ୍ଜାଯିବ ।
ଓଡ଼ିଶାର ୫୭୩ କିଲୋମିଟର ଦୀର୍ଘ ଉପକୂଳରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ପୂର୍ବ ସୂଚନା ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବ୍ୟାପକ ଯୋଜନା ପ୍ରସ୍ତୁତ କରିଛନ୍ତି । ବର୍ତ୍ତମାନ ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ୧୨୨ଟି ଟାୱାରକୁ ଆହୁରି ଅତ୍ୟାଧୁନିକ କରାଯିବ । ସେଥିମଧ୍ୟରୁ ୪୦ଟି ବଡ଼ ଟାୱାରରେ ସାଇରନ୍ ସିଷ୍ଟମ୍ ଲାଗିଥିବା ବେଳେ ଏବେ ସବୁ ଟାୱାରରେ କ୍ୟାମେରା ସହ ଅତ୍ୟାଧୁନିକ ସେନ୍ସର ଖଞ୍ଜାଯିବ । ଗୋଆ ଏବଂ କେରଳରୁ ଅଭିଜ୍ଞ ଅଧିକାରୀମାନେ ଆସି ଏହାର ସମୀକ୍ଷା କରିବା ସହ ଏକ ବିଶେଷ ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ବ୍ୟବସ୍ଥା ଦ୍ୱାରା ଡାଟା ଟ୍ରାନ୍ସଫର ଏବଂ ସୂଚନା ପ୍ରସାରଣ କ୍ଷେତ୍ରରେ ବଡ଼ ସଂସ୍କାର ଆସିବା ସହ ସେଟେଲାଇଟ୍ ମାଧ୍ୟମରେ ପବନର ଗତି ଏବଂ ବାତ୍ୟା ସମ୍ପର୍କିତ ଖବର ତୁରନ୍ତ ମିଳିପାରିବ ।
ଏହି ନୂତନ ସିଷ୍ଟମକୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବଂ ୩୧୪ଟି ବ୍ଲକରେ କାର୍ଯ୍ୟକାରୀ କରାଯିବ। ଏହା ଦ୍ୱାରା ସହରାଞ୍ଚଳରେ କେଉଁ ଅଞ୍ଚଳରେ କେତେ ପରିମାଣର ବର୍ଷା ହେବ, ତାହାର ସଠିକ୍ ପୂର୍ବାନୁମାନ ମଧ୍ୟ ମିଳିପାରିବ। ବାତ୍ୟା ଓ ବର୍ଷା ସୂଚନା ପହଞ୍ଚାଇବା ପାଇଁ ଏହି ଅତ୍ୟାଧୁନିକ ବ୍ୟବସ୍ଥା ବେଶ୍ ସହାୟକ ହେବ। ଏହାସହ ସହରାଞ୍ଚଳରେ ବଜ୍ରପାତ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିକଳ୍ପ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।
ଅନ୍ୟପଟେ ବଜ୍ରପାତରୁ ଚାଷୀ ଏବଂ ସାଧାରଣ ଲୋକଙ୍କୁ ରକ୍ଷା କରିବା ପାଇଁ ସରକାର ତାଳ ଗଛ ଲଗାଇବା ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି । ରାଜସ୍ୱ ବିଭାଗ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଜଙ୍ଗଲ ବିଭାଗକୁ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଓଡ଼ିଶାରେ ଥିବା ପ୍ରାୟ ୧ କୋଟି ୭୧ ଲକ୍ଷ ଜମି ପଟାରେ ତାଳ ଗଛ ଲଗାଯିବାର ଲକ୍ଷ୍ୟ ରଖାଯାଇଛି । ଜମି ମାଲିକମାନଙ୍କୁ ତାଳ ଗଛ ଚାରା ଯୋଗାଇ ଦିଆଯିବା ସହ ଏହାକୁ ଲଗାଇବା ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯିବ। ତାଳ ଗଛଗୁଡ଼ିକ ପ୍ରାକୃତିକ ବଜ୍ରପାତ ନିରୋଧକ ଭାବେ କାମ କରୁଥିବାରୁ ଏହା ଚାଷୀମାନଙ୍କୁ ଜମିରେ ସୁରକ୍ଷା ପ୍ରଦାନ କରିବାରେ ସଫଳ ହେବ ଏବଂ ଜୀବନହାନି ହ୍ରାସ ପାଇବ ।
ଚର୍ଚ୍ଚା NEWS












