ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ନେଇ ଉପଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
BY_ରାଜୀବ କୁମାର ବେହେରା
ଉଦଳା -ଗଣତନ୍ତ୍ରର ମୂଳଦୁଆର ହେଉଛି ସଠିକ୍ ଭୋଟର ତାଲିକା। ଜଣେ ବି ଯୋଗ୍ୟ ମତଦାତା ଯେପରି ନିଜର ମତାଧିକାରରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଉଦଳା ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଓ ସଠିକ୍ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ କପ୍ତିପଦା ଉପଜିଲ୍ଲାପାଳ ତଥା ଭୋଟର ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।
ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ ସୂଚନା ଦେଇଥିଲେ ଯେ, ଏହି ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ମଇ ୩୦ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ ନୂତନ ମତଦାତାଙ୍କ ପଞ୍ଜିକରଣ, ଭୁଲ ତଥ୍ୟ ସଂଶୋଧନ, ନାମ ବିଲୋପ ଓ ସ୍ଥାନାନ୍ତରଣ ଭଳି ବିଭିନ୍ନ ପ୍ରକ୍ରିୟା ସମ୍ପନ୍ନ କରାଯିବ।
ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ କରି କହିଥିଲେ ଯେ, ଭୋଟର ତାଲିକା ସଂଶୋଧନ ସମ୍ପର୍କିତ ସଠିକ୍ ଓ ବିଶଦ ସୂଚନା ଲୋକଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରଶାସନ ପକ୍ଷରୁ ଜଣେ ବି ଯୋଗ୍ୟ ନିର୍ବାଚକଙ୍କ ନାମ ତାଲିକାରୁ ବାଦ ନ ପଡ଼ିବା ନେଇ ସତର୍କ ଦୃଷ୍ଟି ରଖାଯାଇଛି।
ଏହି ସମ୍ମିଳନୀରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ ପ୍ରବୀଣ କୁମାର ମାଝୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଭୋଟର ତାଲିକାର ସଠିକତା ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ବିଶ୍ୱସନୀୟତାର ମୁଖ୍ୟ ଆଧାର ହୋଇଥିବାରୁ, ସାଧାରଣ ଜନତାଙ୍କୁ ଏହି ସୁଯୋଗର ସଦୁପଯୋଗ କରି ନିଜ ନାମ ଓ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ସଂଶୋଧନ କରାଇବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
ଚର୍ଚ୍ଚା news












