ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସର ପୂର୍ବରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଏକ ବ୍ୟାପକ ସମୀକ୍ଷା କରାଯିବ । କାଲିଠାରୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଆସନ୍ତା ଜୁନ୍ ୧୨ ତାରିଖରେ ମୋହନ ସରକାର ଦୁଇ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସର ପୂର୍ବରୁ ରାଜ୍ୟ ସରକାରଙ୍କ କାର୍ଯ୍ୟକାଳର ଏକ ବ୍ୟାପକ ସମୀକ୍ଷା କରାଯିବ । କାଲିଠାରୁ ବିଭିନ୍ନ ବିଭାଗର ରିପୋର୍ଟ କାର୍ଡ ଯାଞ୍ଚ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଘୋଷଣା, ବିକାଶମୂଳକ କାର୍ଯ୍ୟ, ଲୋକକଲ୍ୟାଣ ଯୋଜନା ଏବଂ ବିଭାଗୀୟ ପ୍ରଦର୍ଶନର ସମ୍ପୂର୍ଣ୍ଣ ହିସାବ ନିଆଯିବ । ସରକାର ଗଠନ ପରଠାରୁ କେଉଁ ବିଭାଗ କେତେ ଲକ୍ଷ୍ୟ ହାସଲ କରିଛି, କେଉଁ ପ୍ରକଳ୍ପ ସଫଳ ହୋଇଛି ଏବଂ କେଉଁ କ୍ଷେତ୍ରରେ ଆହୁରି ସୁଧାର ଆବଶ୍ୟକ ରହିଛି, ସେ ସମସ୍ତ ବିଷୟରେ ତଥ୍ୟ ଉପସ୍ଥାପନ କରିବେ ସଂପୃକ୍ତ ବିଭାଗୀୟ ମନ୍ତ୍ରୀମାନେ । ପ୍ରତ୍ୟେକ ବିଭାଗକୁ ଦୁଇ ବର୍ଷର କାର୍ଯ୍ୟକଳାପ, ବଜେଟ୍ ବ୍ୟୟ, ଯୋଜନା କାର୍ଯ୍ୟକାରିତା ଏବଂ ଜନସାଧାରଣଙ୍କ ଉପରେ ପଡ଼ିଥିବା ପ୍ରଭାବ ସମ୍ବନ୍ଧୀୟ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏହି ସମୀକ୍ଷା ବୈଠକକୁ ନେଇ ଏବେ ସଚିବାଳୟଠାରୁ ଆରମ୍ଭ କରି ବିଭିନ୍ନ ବିଭାଗରେ ବ୍ୟସ୍ତତା ବଢ଼ିଯାଇଛି ।
ବିଭାଗୀୟ ଅଧିକାରୀ ଏବଂ ମନ୍ତ୍ରୀମାନେ ଗତ ଦୁଇ ବର୍ଷର ସମସ୍ତ ତଥ୍ୟ ସଂଗ୍ରହ ଏବଂ ଯାଞ୍ଚରେ ଲାଗିପଡ଼ିଛନ୍ତି । କେଉଁ ଯୋଜନା କେତେ ଆଗକୁ ବଢ଼ିଛି, କେତେ ଲୋକ ଏଥିରୁ ଉପକୃତ ହୋଇଛନ୍ତି ଏବଂ କେଉଁଠି ସମସ୍ୟା ରହିଛି, ସେନେଇ ବିସ୍ତୃତ ତଥ୍ୟ ପ୍ରସ୍ତୁତ କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକ କେବଳ ସଫଳତାର ତାଲିକା ଯାଞ୍ଚରେ ସୀମିତ ରହିବ ନାହିଁ । ବରଂ କେଉଁ ବିଭାଗ ଲକ୍ଷ୍ୟ ଅନୁଯାୟୀ କାମ କରିପାରିନାହିଁ, କେଉଁ ପ୍ରକଳ୍ପରେ ବିଳମ୍ବ ହୋଇଛି ଏବଂ ଲୋକଙ୍କ ଅଭିଯୋଗ କେଉଁଠି ରହିଛି, ତାହାର ମଧ୍ୟ ସମୀକ୍ଷା କରାଯିବ । ଆବଶ୍ୟକ ହେଲେ ବିଭାଗଗୁଡ଼ିକୁ ନୂଆ ଟାର୍ଗେଟ୍ ଦିଆଯିବ ଏବଂ କାର୍ଯ୍ୟଦକ୍ଷତା ବଢ଼ାଇବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇପାରେ । ରାଜନୈତିକ ମହଲରେ ଏହି ସମୀକ୍ଷାକୁ ବେଶ ଗୁରୁତ୍ୱର ସହ ଦେଖାଯାଉଛି । କାରଣ ଦୁଇ ବର୍ଷ ପୂର୍ତ୍ତି ଅବସରରେ ସରକାର ନିଜର ସଫଳତା ଏବଂ ଭବିଷ୍ୟତ କାର୍ଯ୍ୟଯୋଜନାକୁ ଲୋକଙ୍କ ସାମ୍ନାରେ ରଖିବାକୁ ଯୋଜନା କରୁଛନ୍ତି । ଏହା ସହିତ ଆଗାମୀ ତିନି ବର୍ଷ ପାଇଁ ବିକାଶର ନୂଆ ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ କରାଯାଇପାରେ । ତେବେ ଏବେ ସମସ୍ତଙ୍କ ନଜର ରହିଛି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଉପରେ। କେଉଁ ବିଭାଗର ପ୍ରଦର୍ଶନ ସବୁଠାରୁ ଭଲ ରହିଛି, କେଉଁ ବିଭାଗ ପଛରେ ପଡ଼ିଛି ଏବଂ ସରକାରଙ୍କ ଆଗାମୀ କାର୍ଯ୍ୟଯୋଜନା କ’ଣ ହେବ, ତାହା ଏହି ରିପୋର୍ଟ କାର୍ଡ ସମୀକ୍ଷା ପରେ ସ୍ପଷ୍ଟ ହେବ। ଜୁନ୍ ୧୨ରେ ଦୁଇ ବର୍ଷ ପୂର୍ତ୍ତି ଅବସରରେ ମୋହନ ସରକାର ନିଜ କାର୍ଯ୍ୟଦକ୍ଷତାର ହିସାବ ଲୋକଙ୍କ ସାମ୍ନାରେ ରଖିବାକୁ ପ୍ରସ୍ତୁତ ହେଉଛନ୍ତି ।
ଚର୍ଚ୍ଚା news












