ଗୋଟିଏ ଲାଇଫ ଜ୍ୟାକେଟ ଭିତରେ ବନ୍ଧା ଥିଲା ଦୁଇଟି ମୃତଦେହ। ଗୋଟିଏ ଥିଲା #ମାଆର ଆଉ ଆରଟି ଥିଲା ସେ ନିଜ ଛାତିରେ ଜାବୁଡ଼ି ଧରିଥିବା ତାଙ୍କ ଚାରି ବର୍ଷିଆ #କୁନିପୁଅର। ପୁଅ ଜୀବନ ବଞ୍ଚାଇବା ପାଇଁ ନିଜ ଲାଇଫ ଜ୍ୟାକେଟ ସହ ତାକୁ ବି ନିଜ ଛାତିରେ ବାନ୍ଧି ଦେଇଥିଲେ। ହେଲେ ଆଜି ସକାଳୁ ଯେତେବେଳେ ଉଦ୍ଧାରକାରୀ ଦଳ ଜବଲପୁରସ୍ଥିତ ବାରଗି ଡ୍ୟାମରେ ବୁଡ଼ି ଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରୁଥିଲେ ସେତେବେଳେ ମାଆ ପୁଅଙ୍କର ଏଭଳି କରୁଣ ତଥା ହୃଦୟବିଦାରକ #ଆଲିଙ୍ଗନ ଦେଖି ସେମାନେ ବି କିଛି କ୍ଷଣ ସ୍ତବ୍ଧ ହୋଇଯାଇଥିଲେ। ଏହି ଦୃଶ୍ୟ ସମସ୍ତଙ୍କ ଛାତିରେ କୋହ ଓ ଆଖିରେ ଲୁହ ଆଣି ଦେଇଥିଲା।
ଗୁରୁବାର ଅପରାହ୍ନରେ ମଧ୍ୟପ୍ରଦେଶର ଜବଲପୁରସ୍ଥିତ ବାରଗି ଡ୍ୟାମରେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଯାଉଥିଲା ଏକ କ୍ରୁଜ୍ । ହଠାତ୍ ବର୍ଷା ପବନ ମାଡ଼ି ଆସିବା ଫଳରେ କ୍ରୁଜଟି ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା।
ଏହି ଦୁଃଖଦ ଘଟଣାରେ ଏପର୍ଯ୍ୟନ୍ତ ୯ ଜଣ ପ୍ରାଣ ହରାଇଥିବା ବେଳେ ୨୫ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଆହୁରି ୯ ଜଣ ନିଖୋଜ ଥିବାରୁ ଶୁକ୍ରବାର ସକାଳୁ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏହି ସମୟରେ ଜଣେ ମା ତାଙ୍କ କୁନିପୁଅକୁ ଲାଇଫ ଜ୍ୟାକେଟ ଦ୍ଵାରା ଛାତିରେ ଜାବୁଡ଼ି ଧରିଥିବା ଅବସ୍ଥାରେ ମୃତଦେହ ମିଳିଥିଲା। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।
ପାଣିର ସ୍ରୋତ ସେମାନଙ୍କ ଶ୍ୱାସ ଅଟକାଇ ଦେଲା ସତ, କିନ୍ତୁ ସେହି ଆବେଗପୂର୍ଣ୍ଣ ଆଲିଙ୍ଗନକୁ ଅଲଗା କରିପାରିଲାନି। ମୃତ୍ୟୁ ଜିତିଗଲା, ହେଲେ ଗୋଟେ ମା’ର ଭଲପାଇବା ଆଜିବି ଅମର ଗାଥା ଲେଖିଗଲା। ଧନ୍ୟ ସେହି ମା’ ଆଉ ଧନ୍ୟ ତା’ର ସେହି ଅମର ମାତୃତ୍ୱ… ଯାହା ମୃତ୍ୟୁ ପରେ ବି ପରାଜିତ ହୋଇନି।
ଚର୍ଚ୍ଚା news












