ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ନବରଙ୍ଗପୁର ତରଫରୁ ମାଝୀଗୁଡ଼ା ମାଁ ବୁଢ଼ୀଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନରସିଙ୍ଗ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବ୍ୟାପକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ସହ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ଅନୁସରଣ କରିବାକୁ ପ୍ରେରିତ କରିବା।
ଉକ୍ତ କାର୍ଯ୍ୟକ୍ରମରେ ନରସିଙ୍ଗ ଛାତ୍ରଛାତ୍ରୀମାନେ ଅଂଶୁଘାତ, ଡାୟାରିଆ, ମ୍ୟାଲେରିଆ, ଡେଙ୍ଗୁ, ରକ୍ତଚାପ, ମଧୁମେହ ଓ ପୌଷ୍ଟିକ ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ନାଟକ ଓ ଅଭିନୟ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଏବଂ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଜଣାଇଥିଲେ।
କାର୍ଯ୍ୟକ୍ରମରେ ଗ୍ରାମ ସରପଞ୍ଚ, ମନ୍ଦିର କମିଟି ଅଧ୍ୟକ୍ଷ, ବରିଷ୍ଠ ସମାଜସେବୀ, ନରସିଙ୍ଗ କଲେଜ ସଭାପତି ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ସ୍ୱାସ୍ଥ୍ୟ ସଚେତନତା ଭଳି ଉଦ୍ୟମକୁ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ଏଭଳି କାର୍ଯ୍ୟକ୍ରମ ଗ୍ରାମାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ପର୍କିତ ଜ୍ଞାନ ବୃଦ୍ଧି କରିବାରେ ସହାୟକ ହେବ।
ଏହି ଅବସରରେ ବହୁସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କିତ ସଚେତନତାମୂଳକ ସ୍ଲୋଗାନ ସହ handwash ଡାନ୍ସ ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ସ୍ୱଚ୍ଛ ହାତ ଓ ସ୍ୱଚ୍ଛ ପରିବେଶ ରଖିଲେ ବହୁ ରୋଗରୁ ସୁରକ୍ଷିତ ରହିପାରିବ ବୋଲି ଛାତ୍ରଛାତ୍ରୀମାନେ ବାର୍ତ୍ତା ଦେଇଥିଲେ।
ଚର୍ଚ୍ଚା News l












