ଆୟ ଅନୁପାତହୀନ ସମ୍ପତ୍ତି (ଡିଏ) ଅଭିଯୋଗରେ ଭଦ୍ରକ ସିଏଡି (CAD) ଡିଭିଜନର ଜୁନିଅର ଇଞ୍ଜିନିୟର ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ କରାଯାଇଛି। ଗୁରୁବାର, ଅର୍ଥାତ୍ ୧୪ ମଇ ୨୦୨୬ ତାରିଖରେ ତାଙ୍କ ଜଣାଶୁଣା ଆୟ ସ୍ରୋତ ଠାରୁ ଅଧିକ ପରିମାଣର ସମ୍ପତ୍ତି ଥିବା ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ବିଭାଗ ଏକାସାଥିରେ ୪ଟି ସ୍ଥାନରେ ତଲାସି ଅଭିଯାନ ଚଳାଇଛି। ବାଲେଶ୍ୱର ଭିଜିଲାନ୍ସର ମାନ୍ୟବର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଥିବା ବେଳେ, ଏହି ଅଭିଯାନରେ ୪ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ନିୟୋଜିତ ରହିଛନ୍ତି। ଭିଜିଲାନ୍ସ ଟିମ୍ ଭଦ୍ରକ ସହରର ସମରାଇପୁର ଅଞ୍ଚଳରେ ଥିବା ଶ୍ରୀ ମହାନ୍ତିଙ୍କ ତିନି ମହଲା କୋଠା, ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ନରସିଂହଡ଼ିହା ଗ୍ରାମରେ ଥିବା ତାଙ୍କ ପୈତୃକ ଦୁଇ ମହଲା ଘର, ଭଦ୍ରକସ୍ଥିତ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱରର ମାଳିପଡ଼ା ଅଞ୍ଚଳରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଢ଼ାଉ କରି ଦଲିଲପତ୍ର, ସମ୍ପତ୍ତି ସମ୍ବନ୍ଧୀୟ ରେକର୍ଡ, ବ୍ୟାଙ୍କ ଜମା, ନଗଦ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀର ଯାଞ୍ଚ କରୁଛନ୍ତି। ତେବେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଠାବ କରାଯାଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ, ତଦନ୍ତ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ଅଧିକ ବିବରଣୀ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି |
ଚର୍ଚ୍ଚା NEWS












