ଧୀର ଗତିରେ ଚାଲିଥିବା କାମକୁ ନେଇ ପ୍ରଶାସନ ଉପରେ ବର୍ଷିଲେ ଭାସ୍କର ମଢ଼େଇ
By-ରାଜୀବ କୁମାର ବେହେରା
ଉଦଳା କପ୍ତିପଦା ଉପଖଣ୍ଡରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଧୀର ମନ୍ଥର ଗତିକୁ ନେଇ ଉଦଳା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ଚନ୍ଦ୍ର ମଢ଼େଇ କ୍ଷୋଭ ପ୍ରକାଶ କରିଛନ୍ତି। ବୁଧବାର ସକାଳେ ରଥଛକ ଠାରେ ଆୟୋଜିତ ସମୀକ୍ଷା ବୈଠକରେ ସେ ପ୍ରଶାସନ, ପୁଲିସ ଏବଂ ପୂର୍ତ୍ତ ବିଭାଗକୁ କଡ଼ା ତାଗିଦା କରିଥିଲେ।
ରଥଛକ ନିକଟରେ ନିର୍ମାଣାଧୀନ ପୋଲକୁ ନେଇ ଦେଖାଦେଇଥିବା ବିବାଦ ଏବଂ ସାମାଜିକ ଗଣମାଧ୍ୟମରେ ବିକାଶ କାର୍ଯ୍ୟ ବିରୋଧରେ ହୋଇଥିବା ପ୍ରଚାର ପରେ ବିଧାୟକ ଏହି ବୈଠକ ଡାକିଥିଲେ। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ସେ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ।
ବୈଠକରେ ସହରର ଥାନାଛକ, ହାଇସ୍କୁଲ ଛକ, ପୋଖରୀ ର ଉନ୍ନତି କରଣ, ରାସ୍ତା, ଡ୍ରେନ ନିର୍ମାଣ, ଭେଣ୍ଡିଂ ଜୋନ ଏବଂ ଆଧୁନିକ ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ଅସନ୍ତୋଷ ପ୍ରକାଶ କରାଯାଇଥିଲା। ଅସମ୍ପୂର୍ଣ୍ଣ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବିଶେଷ କରି ରଥଯାତ୍ରା ପୂର୍ବରୁ ବିବାଦୀୟ ପୋଲ ନିର୍ମାଣ କାମ ଶେଷ କରିବା ଓ ଥାନାଛକ ଭେଣ୍ଡିଂ ଜୋନକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ବିଧାୟକ ଗୁରୁତ୍ୱ ଦେଇଥିଲେ।ବୈଠକରେ ଉପ-ଜିଲାପାଳ ସୁଶାନ୍ତ କୁମାର ବାରିକ, ଏସଡିପିଓ ହୃଷୀକେଶ ନାଏକ, ଆଇଆଇସି ବନମାଳୀ ବାରିକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟନାଥ ଜେନା, ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ଏବଂ ବହୁ ସ୍ଥାନୀୟ ପ୍ରତିନିଧି ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।
ଚର୍ଚ୍ଚା news












