କଟକସ୍ଥିତ ଏକ୍ସାଇଜ୍ ଇଣ୍ଟେଲିଜେନ୍ସ ଏବଂ ଏନଫୋର୍ସମେଣ୍ଟ ବିଭାଗ (ଇଆଇ ଆଣ୍ଡ ଇବି) ୟୁନିଟ୍-୧ ର ଫ୍ଲାଇଂ ସ୍କ୍ୱାଡ୍ ପକ୍ଷରୁ ବେଆଇନ ମଦ ବ୍ୟବସାୟ ବିରୋଧରେ ଜୋରଦାର ଚଢ଼ାଉ କରାଯାଇ ଏକ ନକଲି ବିଦେଶୀ ମଦ କାରବାରୀଙ୍କୁ ଗିରଫ କରାଯାଇଛି। ଏସ୍.ଇ. ଶ୍ରୀ ସମରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡି.ଏସ୍.ଇ. ଶ୍ରୀ ରୋସନ ଇସୁ ହାନ୍ସଦାଙ୍କ ସରାସରି ତତ୍ତ୍ୱାବଧାନରେ ଗତ ୧୦ ମଇ ୨୦୨୬ ତାରିଖରେ ଏହି ବିଶେଷ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପୁରୀ ଜିଲ୍ଲା ବାଲଙ୍ଗା ଥାନା ଅଧୀନ ବାଲଙ୍ଗା ଅଞ୍ଚଳର ବାସୁଦେବ ବେହେରା (୩୪)ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ପ୍ରାୟ ୧୭.୨୮ ଲିଟର ନକଲି ଆଇଏମଏଫଏଲ୍ (ଇଣ୍ଡିଆନ୍ ମେଡ୍ ଫରେନ୍ ଲିକର୍) ଜବତ କରାଯାଇଛି। ଏହା ସହ ଗୋଟିଏ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ମୋଟରସାଇକେଲ୍, ଗୋଟିଏ ଭିଭୋ 5G ସ୍ମାର୍ଟଫୋନ୍ ଏବଂ ବିକ୍ରି ଅର୍ଥ ବାବଦରେ ୬ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଚଢ଼ାଉ ପୁରୀ ଜିଲ୍ଲା ପିପିଲି ଥାନା ଅଧୀନ ଜଗନ୍ନାଥ ଛକ ନିକଟରେ କରାଯାଇଥିଲା। ଜବତ ହୋଇଥିବା ଏକ୍ସାଇଜ୍ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ହଜାର ୨୮୦ ଟଙ୍କା ହୋଇଥିବା ବେଳେ ମୋଟରସାଇକେଲ୍, ସ୍ମାର୍ଟଫୋନ୍ ଏବଂ ନଗଦ ଟଙ୍କା ମିଶି ପ୍ରାୟ ୭୬ ହଜାର ଟଙ୍କାର ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ ଏକ୍ସାଇଜ୍ ଆଇନ ୨୦୦୮ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ ୧୧ ମଇ ୨୦୨୬ ତାରିଖରେ ନ୍ୟାୟିକ ହିରାସତକୁ ପଠାଯାଇଛି। ଏହି ଚଢ଼ାଉରେ ଡିପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ଏକ୍ସାଇଜ୍ ରୋସନ ଇସୁ ହାନ୍ସଦାଙ୍କ ସହ ଇନ୍ସପେକ୍ଟର ହୀରା ଦଳପତି, ସୁଶାନ୍ତ କୁମାର ମହାପାତ୍ର, ଏସଆଇ ଅମିତ କୁମାର ବିଶ୍ୱାଳ, ଏସ୍.କେ. ସାକିର ଉଲ୍ଲା, କର୍ଣ୍ଣ ଓରାମ, ଆଲୋକ କୁମାର ଖଟୁଆ, ଅଜୟ କୁମାର ସାହୁଙ୍କ ସମେତ ମହିଳା କନଷ୍ଟେବଳ ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଅଞ୍ଚଳରେ ବେଆଇନ ନକଲି ମଦ କାରବାର ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଏକ୍ସାଇଜ୍ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଚର୍ଚ୍ଚା news











