ଉଦଳା:: : କପ୍ତିପଦା ଉପଖଣ୍ଡ ଉଦଳାସ୍ଥିତ ଉଦଳାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଡୁପାଲି ଶିବିରରେ ଯୋଗଦେଇ ଲୋକଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ଶୁଣାଣୀ କରିଥିଲେ।
ଏହି ଶିବିରରେ ମୋଟ ୧୨୭ଟି ଅଭିଯୋଗ ଉପରେ ଶୁଣାଣୀ ହୋଇଥିଲା। ସେଥିମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ସମସ୍ୟା ଏବଂ ୨୧ଟି ସାମୂହିକ ସମସ୍ୟା ସମ୍ପର୍କିତ ଥିଲା। ଶୁଣାଣୀ ସମୟରେ ୨୫ଟି ସମସ୍ୟାର ତତ୍କାଳ ସମାଧାନ କରାଯାଇଥିବା ବେଳେ ଚିକିତ୍ସା ସହାୟତା ପାଇଁ ୨୪ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧ ଲକ୍ଷ ୫୭ ହଜାର ଟଙ୍କା ଏବଂ ଜଣେ ହିତାଧିକାରୀଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।
ଜନଶୁଣାଣୀରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ମଧ୍ୟ ଉଠିଥିଲା। ଉଦଳା ବ୍ଲକର ରାଢ଼େ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଦାୟିତ୍ୱରେ ଥିବା ନାଏବ ସରପଞ୍ଚଙ୍କ ବିରୋଧରେ ପଞ୍ଚାୟତକୁ ଆସୁଥିବା ଅର୍ଥର ଦୁରୁପଯୋଗ ଅଭିଯୋଗ ଆସିଥିଲା।
ସେହିପରି ଉଦଳା ଏନ୍ଏସିରେ ଭଙ୍ଗାଯାଇଥିବା ୬୦ରୁ ଅଧିକ ଦୋକାନୀଙ୍କ ପୁନଃଥଇଥାନ, କପ୍ତିପଦା ବ୍ଲକର ପଶି ସାହିରୁ ଗୟଳମରା ପର୍ଯ୍ୟନ୍ତ ପକ୍କା ସଡ଼କ ନିର୍ମାଣ, ଉଦଳା ଥାନା ଛକରୁ ବିଶୋଳ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ମରାମତି ଭଳି ଦାବି ମଧ୍ୟ ଉପସ୍ଥାପିତ ହୋଇଥିଲା।
ଚୂଳିଆପୋଷି ସରକାରୀ ଉପ୍ତା ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନିଯୁକ୍ତି ସହ ବିଦ୍ୟାଳୟ ପରିସର ମଝିରେ ଥିବା ବିଦ୍ୟୁତ ଖୁଣ୍ଟ ଅପସାରଣ, ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ମିଶନ ଶକ୍ତି କେଫେ ସ୍ଥାପନ ଏବଂ କପ୍ତିପଦା ବ୍ଲକର ସୋଲଗଡ଼ିଆ ରାଜସ୍ୱ ଗ୍ରାମରେ ସରକାରୀ ଜଙ୍ଗଲ ଜମିରେ ଥିବା ଆମ୍ବ ବଗିଚାରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଭଳି ଦାବି ମଧ୍ୟ ଶୁଣାଣୀରେ ଉଠିଥିଲା।
ଅଭିଯୋଗଗୁଡ଼ିକର ଶୁଣାଣୀ କରି ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରତ୍ୟେକ ସମସ୍ୟାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା ସହ ସମାଧାନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଶିବିରରେ ଉପଜିଲ୍ଲାପାଳ ପ୍ରଣବ ରଞ୍ଜନ ବେହେରା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତିଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଜନଶୁଣାଣୀ ପ୍ରକ୍ରିୟାରେ ସହଯୋଗ କରିଥିଲେ।
ଲୋକଙ୍କ ସମସ୍ୟା ସରକାରୀ ସ୍ତରରେ ସିଧାସଳଖ ଶୁଣାଯାଇ ତତ୍କାଳ ସମାଧାନ ପାଇବା ଦିଗରେ ଏହି ଜନଶୁଣାଣୀ ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି ।
ଚର୍ଚ୍ଚା tv












