BY-ରାଜୀବ କୁମାର ବେହେରା
ଉଦଳା :: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ଗୌଡ଼ଗାଁ ଗ୍ରାମ ନିକଟ କାଳ ନଦୀରେ ଘଟିଛି ଏକ ଦୁଃଖଦ ଅଘଟଣ। ନଦୀରେ ଗାଧୋଉଥିବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇ ୧୯ ବର୍ଷୀୟ ଯୁବକ ସିପୁନ ମଢେଇଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ସିପୁନ ଓ ତାଙ୍କ ଜଣେ ସାଙ୍ଗ ଗାଁ ନିକଟସ୍ଥ କାଳ ନଦୀକୁ ଗାଧୋଇବାକୁ ଯାଇଥିଲେ। ନଦୀରେ ବନ୍ୟାଜଳ ଓ ପ୍ରଖର ସ୍ରୋତ ଥିବା ସମୟରେ ହଠାତ୍ ସିପୁନ ଭାସିଯାଇଥିଲେ। ତାଙ୍କ ସାଙ୍ଗଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସିପୁନଙ୍କ କୌଣସି ସନ୍ଧାନ ମିଳିନଥିଲା।
ଖବର ପାଇ ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଧରି ସନ୍ଧାନ ଅଭିଯାନ ଚଳାଇଥିଲେ। ନଦୀର ପ୍ରଖର ସ୍ରୋତ ଓ ବଢ଼ିଥିବା ଜଳସ୍ତର ଉଦ୍ଧାରକାରୀ ଦଳ ପାଇଁ ମଧ୍ୟ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା।
ପରେ ପାଣିର ସ୍ରୋତ କମିବା ପରେ ଗୌଡ଼ଗାଁଠାରୁ କିଛି ଦୂରରେ ସିପୁନଙ୍କ ମୃତଦେହ ଠାବ କରାଯାଇ ଉଦ୍ଧାର କରାଯାଇଥିଲା। ମୃତଦେହ ଉଦ୍ଧାର ପରେ ନଦୀପଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଓ ଗ୍ରାମବାସୀଙ୍କ ଆଖିରେ ଲୁହ, ଆଉ ନିରବ ହୋଇଯାଇଥିଲା ସମଗ୍ର ଅଞ୍ଚଳ।
ମୃତ ସିପୁନ ମଢେଇ ଗୌଡ଼ଗାଁ ଗ୍ରାମର ପାଗୁଲୁ ମଢେଇଙ୍କ ପୁଅ ବୋଲି ଜଣାପଡ଼ିଛି। ପୋଲିସ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଉଦଳା ଡାକ୍ତରଖାନାକୁ ପଠାଇଥିବା ସୂଚନା ମିଳିଛି।
ବର୍ଷା ଋତୁରେ ନଦୀର ଜଳସ୍ତର ଓ ସ୍ରୋତ ହଠାତ୍ ବଢ଼ିପାରେ। ପାଣି ଅଧିକ ଥିବା ସମୟରେ ନଦୀକୁ ଗାଧୋଇବାକୁ ଯିବା କିମ୍ବା ସ୍ରୋତରେ ପଶିବା ଅତ୍ୟନ୍ତ ବିପଦପୂର୍ଣ୍ଣ। ଗୋଟିଏ ମୁହୂର୍ତ୍ତର ଅସାବଧାନତା ପରିବାରକୁ ଅପୂରଣୀୟ କ୍ଷତି ଦେଇପାରେ।
ସମସ୍ତଙ୍କୁ ଅନୁରୋଧ ବନ୍ୟା ସମୟରେ ନଦୀ, ନାଳା ଓ ପ୍ରଖର ସ୍ରୋତଠାରୁ ଦୂରେ ରୁହନ୍ତୁ ।
ଚର୍ଚ୍ଚା TV












