BY-ରାଜୀବ କୁମାର ବେହେରା
ଉଦଳା : ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଞ୍ଚଳରେ ଲୁଟେରାଙ୍କ ଦୌରାତ୍ମ୍ୟ ନେଇ ଚିନ୍ତା ବଢ଼ିଥିବା ବେଳେ ଜଣେ ଗହଣା ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍ ଘଟଣା ଚର୍ଚ୍ଚାରେ ରହିଛି।
ସୂଚନା ଅନୁଯାୟୀ, ବଡ଼ଖୁଣ୍ଟା ଗ୍ରାମର ମିହିର ରଣା ଭୋଳାଗଡ଼ିଆ ସାପ୍ତାହିକ ହାଟକୁ ଗହଣା ଦୋକାନ ନେଇ ଯାଇଥିଲେ। ହାଟ ସାରି ସନ୍ଧ୍ୟା ପ୍ରାୟ ୬ଟା ୩୦ ସମୟରେ ସେ ଘରକୁ ଫେରୁଥିଲେ।
ଭୋଳାଗଡ଼ିଆ–ଖୁଣ୍ଟା ରାସ୍ତାର ଶନି ମନ୍ଦିର ନିକଟରେ ଦୁଇଟି ବାଇକରେ ଆସିଥିବା ୪ ଜଣ ଯୁବକ ତାଙ୍କୁ ପଛପଟୁ ପାଇପ୍ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ମିହିର ତଳେ ପଡ଼ିଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ପାଖରେ ଥିବା ଲକ୍ଷାଧିକ ଟଙ୍କାର ଅଳଙ୍କାର ଭର୍ତ୍ତି ବ୍ୟାଗ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଘଟଣାରେ ଗହଣା ବ୍ୟବସାୟୀ ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୁଟେରାମାନଙ୍କ ପରିଚୟ ଓ ଲୁଟ୍ ହୋଇଥିବା ଅଳଙ୍କାରର ପରିମାଣ ସମ୍ପର୍କରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଖୁଣ୍ଟା ଅଞ୍ଚଳରେ ଏଭଳି ଘଟଣାକୁ ନେଇ ସାଧାରଣ ଲୋକ ଓ ବ୍ୟବସାୟୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଲୁଟେରାଙ୍କୁ ଶୀଘ୍ର ଧରିବା ସହ ରାସ୍ତାରେ ପୁଲିସ ପାଟ୍ରୋଲିଂ ବଢ଼ାଇବାକୁ ସାଧାରଣ ଦାବି ହେଉଛି ।
ଚର୍ଚ୍ଚା tv











