BY-ରାଜୀବ କୁମାର ବେହେରା
ଉଦଳା:- ପ୍ରେମର ଉପହାର ଦେବା ଆଶାରେ ବାଛିଲେ ଅପରାଧର ରାସ୍ତା। ମୟୂରଭଞ୍ଜ ଜିଲ୍ଲାର ଉଦଳା ଓ କପ୍ତିପଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ଏକ ଚୋରି ଉଦ୍ୟମ ଘଟଣାର ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ।
ସୂଚନା ଅନୁଯାୟୀ, ଜଣେ ନାବାଳକ ନିଜ ଗର୍ଲଫ୍ରେଣ୍ଡଙ୍କୁ ମୋବାଇଲ ଉପହାର ଦେବା ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ସାଥୀମାନଙ୍କ ସହ ମିଶି ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ତଳିଆ ଅଞ୍ଚଳ ର ଏକ କାର ଭଡାରେ ନେଇ ବିଳମ୍ବିତ ରାତିରେ ଉଦଳା ମାର୍କେଟର କୃଷକ ବଜାର ନିକଟରେ ଏକ ମୋବାଇଲ ଦୋକାନକୁ ଟାର୍ଗେଟ କରିଥିଲେ।
ଅଭିଯୁକ୍ତମାନେ ସାବଳ ସାହାଯ୍ୟରେ ଦୋକାନର ସଟର ତାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ କୁକୁରମାନଙ୍କ ଭୁକିବା ଶବ୍ଦ ଶୁଣି ଭୟଭୀତ ହୋଇ ସେଠାରୁ ଖସି ପଳାଇଥିଲେ। ଫଳରେ ଚୋରି ଉଦ୍ୟମ ବିଫଳ ହୋଇଥିଲା। କିନ୍ତୁ ସମଗ୍ର ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା।
ମୋବାଇଲ ଦୋକାନୀଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଚୋରି ଉଦ୍ୟମରେ ବ୍ୟବହୃତ କାରକୁ ଚିହ୍ନଟ କରିଥିଲା। ପରେ ୪ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାଶ ହୋଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ଗର୍ଲଫ୍ରେଣ୍ଡଙ୍କୁ ମୋବାଇଲ ଉପହାର ଦେବାର ଇଚ୍ଛାରୁ ଏହି ଚୋରି ଉଦ୍ୟମର ଯୋଜନା ହୋଇଥିଲା। ତେବେ ଅପରାଧ ଘଟାଇବା ପୂର୍ବରୁ ହିଁ ସେମାନଙ୍କ ଯୋଜନା ବିଫଳ ହୋଇଯାଇଥିଲା।
ଏହି ଘଟଣା ପୁଣିଥରେ ପ୍ରମାଣ କରିଛି ଯେ, ଅଳ୍ପ ବୟସର ଅପରିପକ୍ୱ ନିଷ୍ପତ୍ତି, ଭୁଲ ସଙ୍ଗତି ଓ ଦେଖାଦେଖି ମନୋଭାବ କିପରି ଯୁବପିଢ଼ିଙ୍କୁ ଅପରାଧ ଆଡ଼କୁ ନେଇପାରେ। ପ୍ରେମ କିମ୍ବା ସମ୍ପର୍କର ନାଁରେ ଅପରାଧ କେବେ ବି ସମାଧାନ ହୋଇପାରେ ନାହିଁ।
ପୋଲିସ ନାବାଳକମାନଙ୍କ ଅଭିଭାବକଙ୍କୁ ନୋଟିସ ଜାରି କରି ସେମାନଙ୍କୁ ଛାଡ଼ି ଦେଇଥିବା ସୂଚନା ମିଳିଛି। ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଚର୍ଚ୍ଚା news












