ଉଦଳା, ( ରାଜୀବ କୁମାର ବେହେରା ) : କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାପାଳ, ମୟୂରଭଞ୍ଜ ହେମକାନ୍ତ ସୟ ଓ ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ସମୁଦାୟ ୯୯ଟି ଜନଅଭିଯୋଗର ଶୁଣାଣୀ କରିଥିଲେ।
ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଧର୍ମାନନ୍ଦ ବେହେରା, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତି ସହିତ ବିଭିନ୍ନ ବିଭାଗର ଜିଲ୍ଲା, ଉପଖଣ୍ଡ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଶୁଣାଣୀରେ ମୋଟ ୮୪ଟି ବ୍ୟକ୍ତିଗତ ଓ ୧୫ଟି ସାମୂହିକ ଅଭିଯୋଗ ଥିଲା। ସେଥିମଧ୍ୟରୁ ୧୬ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୧୪ ଜଣଙ୍କୁ ୧,୪୫,୦୦୦ ଟଙ୍କା ଓ ରେଡ଼କ୍ରସ ପାଣ୍ଠିରୁ ୨ ଜଣଙ୍କୁ ୨୦,୦୦୦ ଟଙ୍କା ସହାୟତା ମୋଟ ୧,୬୫,୦୦୦ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା।
ବିଭିନ୍ନ ଅଭିଯୋଗ ମଧ୍ୟରେ ଜଙ୍ଗଲ ଜମି ପଟା ପ୍ରଦାନ, ଉଦଳା ହାଇସ୍କୁଲ ଜମି ମାପ ଓ ସୁରକ୍ଷା, ନୂତନ ନଳକୂପ ଖନନ, ଉନ୍ନତି କାମରେ ଦୁର୍ନୀତି, ଭାଙ୍ଗିଯାଇଥିବା ପୋଲର ପୁନଃନିର୍ମାଣ, ଗ୍ରାମ ସଂଯୋଗ ପାଇଁ ପୋଲ ନିର୍ମାଣ, ବନ୍ୟଜନ୍ତୁ ଚଳଚଳନ ଯୋଗୁଁ ଜନବସତି ସ୍ଥାନାନ୍ତରଣ ଓ ଜବରଦଖଲ ଉଚ୍ଛେଦ ଭଳି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
ଜିଲ୍ଲାପାଳ ସମ୍ବନ୍ଧିତ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାଗୁଡିକର ସତ୍ୱର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଓ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।
ଜନଶୁଣାଣୀ ରେ ୯୯ ଅଭିଯୋଗର ଶୁଣାଣୀ କଲେ ମୟୁରଭଞ୍ଜ ଜିଲ୍ଲାପାଳ
By Charcha News












