ବିଶ୍ବ ମାତୃ ଦିବସରେ ଚିନ୍ତା ବଢ଼ାଉଛି ସିଜରିଆନ୍ ପ୍ରସବ, ଆବଶ୍ୟକତା ନା ଆର୍ଥିକ ଶୋଷଣ?
ଦିନ ଥିଲା ୯ ମାସ ପୂରିଲେ ଗର୍ଭବତୀଙ୍କ ପରିବାରରେ ଅଜଣା ଭୟ ସହ ଖୁସି ଖେଳି ଯାଉଥିଲା। ‘ପ୍ରସବ ବେଦନା’ ସମୟରେ ମା’ର ଯତ୍ନ ନେବାପାଇଁ ପୂରା ପରିବାର ଏକାଠି ଚେଷ୍ଟା କରୁଥିଲେ।
BY-SUBHASMITA-DT-10.5.2026
ଭୁବନେଶ୍ୱର: ମା’ ହେବାର ଅନୁଭୂତି ଜଣେ ମହିଳାଙ୍କ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ୍ତ। ଦିନେ ଥିଲା ପ୍ରସବ ବେଦନାକୁ ମାତୃତ୍ୱର ଏକ ସ୍ୱାଭାବିକ ପର୍ଯ୍ୟାୟ ବୋଲି ଧରାଯାଉଥିଲା। ପରିବାରର ସମସ୍ତେ ଗର୍ଭବତୀ ମହିଳାଙ୍କ ଯତ୍ନ ନେଇ ନୂଆ ଅତିଥିଙ୍କ ଆଗମନକୁ ଅପେକ୍ଷା କରୁଥିଲେ। କିନ୍ତୁ ଆଧୁନିକ ସମୟରେ ସେହି ପରିସ୍ଥିତି ବହୁ ପରିବର୍ତ୍ତନ ହୋଇଯାଇଛି। ଏବେ ସାଧାରଣ ପ୍ରସବ ତୁଳନାରେ ସିଜରିଆନ୍ ପ୍ରସବର ସଂଖ୍ୟା ଦ୍ରୁତ ହାରେ ବଢ଼ୁଛି। ଏହା ଚିକିତ୍ସା ଆବଶ୍ୟକତା ନା ଏକ ବ୍ୟବସାୟିକ ପ୍ରବୃତ୍ତି, ସେନେଇ ପ୍ରଶ୍ନ ଉଠୁଛି। ଓଡ଼ିଶାରେ ଘରୋଇ ହସ୍ପିଟାଲଗୁଡ଼ିକରେ ସିଜରିଆନ୍ ପ୍ରସବ ହାର ଚିନ୍ତାଜନକ ସ୍ତରକୁ ପହଞ୍ଚିଛି। ୨୦୨୨-୨୩ ମସିହାରେ ଘରୋଇ ହସ୍ପିଟାଲରେ ହୋଇଥିବା ମୋଟ ପ୍ରସବର ପ୍ରାୟ ୭୭ ପ୍ରତିଶତ ସିଜରିଆନ୍ ଥିଲା। ୨୦୨୩-୨୪ରେ ଏହି ହାର ୮୧ ପ୍ରତିଶତକୁ ଛୁଇଁଛି। ଅନ୍ୟପଟେ ସରକାରୀ ହସ୍ପିଟାଲରେ ଏହା ୩୦ରୁ ୩୩ ପ୍ରତିଶତ ମଧ୍ୟରେ ରହିଛି। ଏହି ବିପୁଳ ପାର୍ଥକ୍ୟ ଅନେକ ପ୍ରଶ୍ନ ଉଠାଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କୌଣସି ଦେଶରେ ସିଜରିଆନ୍ ପ୍ରସବ ହାର ୧୦ରୁ ୧୫ ପ୍ରତିଶତ ମଧ୍ୟରେ ରହିବା ଉଚିତ। କିନ୍ତୁ ଭାରତରେ ଏହି ହାର ଲଗାତାର ବଢ଼ୁଛି। ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ଅନୁସାରେ ୨୦୦୫-୦୬ରେ ଭାରତରେ ସିଜରିଆନ୍ ପ୍ରସବ ହାର ୮.୫ ପ୍ରତିଶତ ଥିବା ବେଳେ ୨୦୧୯-୨୧ରେ ଏହା ୨୧.୫ ପ୍ରତିଶତକୁ ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କେତେକ କ୍ଷେତ୍ରରେ ସିଜରିଆନ୍ ପ୍ରସବ ଜୀବନ ରକ୍ଷାକାରୀ ହୋଇଥାଏ। ମା’ କିମ୍ବା ଶିଶୁର ଜୀବନ ଜୋଖିମରେ ଥିଲେ ଏହା ଅତ୍ୟାବଶ୍ୟକ। କିନ୍ତୁ ଅନାବଶ୍ୟକ ଭାବେ ଏହାର ବ୍ୟବହାର ମା’ ଓ ଶିଶୁ ଉଭୟଙ୍କ ପାଇଁ ଭବିଷ୍ୟତରେ ସ୍ୱାସ୍ଥ୍ୟ ସମସ୍ୟା ସୃ୍ଷ୍ଟି କରିପାରେ। ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରୀତ କୌରଙ୍କ ମତରେ, ବଦଳୁଥିବା ଜୀବନଶୈଳୀ ଏହି ପରିସ୍ଥିତି ପାଇଁ ବହୁ ଅଂଶରେ ଦାୟୀ। ବିଳମ୍ବିତ ବିବାହ, ମୋଟାପଣ, ଅନିୟମିତ ଖାଦ୍ୟ ଅଭ୍ୟାସ, ଚାପଗ୍ରସ୍ତ ଜୀବନ, ଶାରୀରିକ ପରିଶ୍ରମର ଅଭାବ ଓ ପ୍ରସବ ବେଦନା ପ୍ରତି ଭୟ ମହିଳାମାନଙ୍କୁ ସିଜରିଆନ୍ ପ୍ରସବ ଦିଗକୁ ଠେଲିଦେଉଛି। ଆଜି ବିଶ୍ବ ମାତୃ ଦିବସରେ ଆବଶ୍ୟକ ହେଉଛି ମାତୃ ସ୍ୱାସ୍ଥ୍ୟକୁ କେବଳ ଚିକିତ୍ସା ପ୍ରକ୍ରିୟା ଭାବେ ନୁହେଁ, ଏକ ସାମାଜିକ ଦାୟିତ୍ୱ ଭାବେ ଦେଖିବା। ସିଜରିଆନ୍ ପ୍ରସବ ଯେଉଁଠାରେ ଆବଶ୍ୟକ, ସେଠାରେ ତାହା ଜୀବନ ବଞ୍ଚାଇପାରେ। କିନ୍ତୁ ଯଦି ଏହା ଧୀରେ ଧୀରେ ଆର୍ଥିକ ଶୋଷଣର ମାଧ୍ୟମ ହେବାକୁ ଲାଗେ, ତେବେ ଏହା ଆଗାମୀ ପିଢ଼ୀ ପାଇଁ ଗମ୍ଭୀର ସତର୍କ ସଙ୍କେତ।
ଚର୍ଚ୍ଚା news












