BY- ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ନୁଦଡିହା ଗ୍ରାମରେ ଶୋକର ଛାୟା ଦେଖିବାକୁ ମିଳିଛି l ଲାଲବାହାଦୁରୀ ସ୍କୁଲର ପୂର୍ବତନ ସଂସ୍କୃତ ଶିକ୍ଷକ ଉମାକାନ୍ତ ସୂବେଦୀ ମହାପାତ୍ର (୭୨)ଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗ ଖବର ପ୍ରଚାର ପାଇବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ହଠାତ୍ ହୃଦଘାତରେ ଅସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଉଦଳା ଡାକ୍ତରଖାନାକୁ ଆଣୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଅଧା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଦୁଃଖଦ ଖବର ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଶେଷ ଦର୍ଶନ ପାଇଁ ପୂର୍ବତନ ଛାତ୍ରଛାତ୍ରୀ, ସହକର୍ମୀ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିଲା। ଜଣେ ଆଦର୍ଶ ଓ ନିଷ୍ଠାବାନ ଶିକ୍ଷକ ଭାବେ ଉମାକାନ୍ତ ବାବୁ ସମସ୍ତଙ୍କ ନିକଟରେ ପରିଚିତ ଥିଲେ।
ସେ ଶିକ୍ଷକତାକୁ କେବଳ ଚାକିରି ଭାବେ ନୁହେଁ, ଏକ ପବିତ୍ର ସେବା ଭାବେ ଗ୍ରହଣ କରିଥିଲେ। ସଂସ୍କୃତ ଭାଷା ପ୍ରତି ତାଙ୍କ ଅଗାଧ ଭଲପାଇବା ଓ ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ତାଙ୍କୁ ସବୁବେଳେ ସ୍ମରଣୀୟ କରିରଖିବ। ତାଙ୍କ ପାଠପଢ଼ା, ଆଦର୍ଶ ଓ ଶିଷ୍ଟାଚାର ଆଜି ମଧ୍ୟ ଅନେକଙ୍କ ପାଇଁ ପ୍ରେରଣା ହୋଇ ରହିଛି।
ତାଙ୍କ ବିୟୋଗରେ ଶିକ୍ଷାଜଗତ ଜଣେ ଅନୁଭବୀ ଓ ଆଦର୍ଶ ଶିକ୍ଷକଙ୍କୁ ହାରାଇଛି। ଭଗବାନ ତାଙ୍କ ଅମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।
ଚର୍ଚ୍ଚା news












